ନବରଙ୍ଗପୁର- ଜିଲ୍ଲାର ଝରିଗାଁ ବ୍ଲକ୍ ଉମରକୋଟ ଥାନା ଅନ୍ତର୍ଗତ ଧୋଡ଼୍ରା ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସର ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକଙ୍କ ନାମ ଜନାର୍ଦ୍ଦନ ବର୍ମନ । ୩୯ ବର୍ଷିୟ ଜନାର୍ଦ୍ଦନଙ୍କ ଘର ଛତିଶଗଡ଼ ରାଜ୍ୟ କୋଣ୍ଡାଗାଁ ଜିଲ୍ଲା ପରଶଗାଁ ଥାନା ଅନ୍ତର୍ଗତ ଜଗାନି ଗାଁରେ । ସେ ଉମରକୋଟ ଥାନା ଅନ୍ତର୍ଗତ ବଡ଼ଘରଣ୍ଡିଗୁଡ଼ା ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ଗତକାଲି ରାତିରେ ସେ ବାଇକ୍ ଯୋଗେ ଫେରୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ଆଜି ସକାଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଘଟଣାସ୍ଥଳରୁ ତାଙ୍କର ଭଙ୍ଗା ମୋଟର ସାଇକେଲକୁ ପୋଲିସ ଜବତ କରିଥିବାରୁ କେହି ତାଙ୍କ ବାଇକ୍ କୁ ଭଙ୍ଗାରୁଜା କରିବା ସହ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଯୁବକଙ୍କ ମୃତଦେହ ରାସ୍ତା କଡ଼ରେ ଚକାପାରି ବସିଥିବା ମୁଦ୍ରାରେ ଥିବା ଧୋଡ଼୍ରା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ଏକ ବାଇକ୍ ଥିଲା । ଯାହାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ଏନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଉମରକୋଟ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ବାଇକଟିକୁ ଜବତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।