
ବୌଦ୍ଧ- ପାରିବାରିକ କଳହକୁ ନେଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଙ୍କୁଡ଼ିଚିଡ଼ା ଗ୍ରାମରେ । ମୃତ ଯୁବକଙ୍କ ନାମ ବିଜୁ ଦଳେଇ ।୨୪ ବର୍ଷିୟ ବିଜୁ ଗତ ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଏକ ବର୍ଷକର ସନ୍ତାନ ମଧ୍ୟ ରହିଛି । ହେଲେ କିଛି ଦିନ ହେବ ବିଜୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଗତକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଥିଲେ ବିଜୁ । ବିଳମ୍ବିତ ରାତିରେ ତାଙ୍କ ଜମି ନିକଟରେ ଥିବା ଏକ ଗଛରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।