
ପୁରୀ– ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଆଜି ପଂଚମ ପାଳି ତଥା ଶେଷ ପାଳି ଯାତ୍ରା ଓ ପ୍ରସିଦ୍ଧ ଝାମୁ ଯାତ୍ରା । ଆଜି ପ୍ରତ୍ୟୁଷରୁ ମା ଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଗାଁ ମାନଙ୍କରେ ମହିଳା ମାନେ ଆଜି ଶେଷ ପାଳିରେ ପନ୍ଥେଇ ଓଷା ଶେଷ କରିବେ । ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇଥିବା ଏହି ପାଳି ଯାତ୍ରା ବୈଶାଖ ମାସର ପ୍ରଥମ ମଙ୍ଗଳବାର ଦିନ ଝାମୁ ଯାତ୍ରା ପରେ ଶେଷ ହୋଇଥାଏ ।
ଆଜି ଭୋର୍ ୩ଟାରୁ ମା ଙ୍କ ସ୍ନାନ, ମାଜଣା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ରାଜରାଜେଶ୍ୱରୀ ବେଶ ପରେ ଭୋର୍ ୪ଟାରେ ପହଡ଼ ଖୋଲିଛି । ଦ୍ୱି ପ୍ରହରରେ ଝଙ୍କଡ଼ ଶାରଳା ପୀଠରୁ ଆସିଥିବା ମାଳି ସମ୍ପ୍ରଦାୟର ପାଟୁଆ ମାନେ ପାରମ୍ପରିକ ଢ଼ୋଲ, ମହୁରୀ ବାଦ୍ୟର ରୋଷଣୀରେ ମାଙ୍କ ଠାରୁ ଆଜ୍ଞାମାଳ ନେଇ ପ୍ରାଚୀ ନଦୀର ଘାଟରୁ ପାଣି ତୋଳିବା ପରେ ମନ୍ଦିର ସମ୍ମୁଖରେ ନିର୍ମିତ ୧୨ ଫୁଟ୍ ଲମ୍ବର ଏକ ନିଆଁ ଖଳାରେ ଚାଲିବେ ତଥା ଝାମୁ ଯାତ୍ରା ଅନୁଷ୍ଠିତ ହେବ ।