
-
ଓଡିଆ ପକ୍ଷ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
-
ମଧୁବାବୁଙ୍କ ଜନ୍ମପୀଠକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ
-
ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମର ଭିତିପ୍ରସ୍ତର ସ୍ଥାପନ, ଖର୍ଚ୍ଚ ହେବ ୨୧ କୋଟି ଟଙ୍କା
-
ସମୃଦ୍ଧ ଓଡିଶା ଗଠନରେ ଆମର ମୁଖ୍ୟ ଆଧାର ହେବ- ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ
-
ଏକ ସମୃଦ୍ଧ ଓଡିଶା ଗଠନ କରି ବରପୁତ୍ରଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର– ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ। ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ‘ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମର ଭିତିପ୍ରସ୍ତର ରଖିଥିଲେ । ୨୧ କୋଟି ଟଙ୍କା ବିନିଯୋଗରେ ବିକଶିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ। ଲକ୍ଷ୍ୟ ସଫଳ ହେବ। ଓଡିଶାର ଏହି ମହା ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହୋଇ ସମୃଦ୍ଧ ଓଡ଼ିଶାର ମହାନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ।
ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଓଡ଼ିଶାର ପ୍ରକୃତ ସମ୍ପଦ ହେଉଛନ୍ତି ଆପଣମାନେ। ଆମର ସାଢ଼େ ଚାରି କୋଟି ଓଡ଼ିଶାବାସୀ। ଆମର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଓଡ଼ିଆ ଅସ୍ମିତା ଭରି ରହିଛି। ଆମର ଚାଲିଚଳଣ, କଥାବାର୍ତା, ଖାଦ୍ୟ… ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍ଥାନ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେ ପୁଣି କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବା। ତେଣୁ, ଓଡ଼ିଶା ପ୍ରଦେଶ ଗଠନ ସହିତ, ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗୃତି ପାଇଁ ମଧ୍ୟ ଲେଖନୀ ମାଧ୍ୟମରେ ଆନ୍ଦୋଳନ ଚାଲିଥିଲା। ଏହାର ପୁରୋଧା ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରି ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାପତି।
ଏପରିକି, ମଧୁବାବୁ ଓଡ଼ିଆମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଲେଖନୀ ଚାଳନା କରୁଥିଲେ। ତାଙ୍କ ରଚିତ “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!” ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲା। ମଧୁବାବୁଙ୍କ ଡାକରେ ସାରା ଓଡ଼ିଆ ଜାତି ଏକତ୍ରିତ ହୋଇଥିଲା ଏବଂ ୮୯ ବର୍ଷ ପୂର୍ବେ ଆଜିର ଦିନରେ ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ କରିଥିଲୁ। ଓଡ଼ିଶା ଭୂଖଣ୍ଡକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଯେଉଁ ମହାନ ବରପୁତ୍ରମାନେ ସାରା ଜୀବନ ସଂଗ୍ରାମ କରିଥିଲେ ସେମାନଙ୍କୁ ମୁଁ ପ୍ରଣାମ କରୁଛି।
ଏକ ‘‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’’ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ନିରନ୍ତର ଉଦ୍ୟମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ସ୍ଥାପନ କରିଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବରପୁତ୍ରମାନଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ ପାଇକ ବିଦ୍ରୋହ ସମ୍ପର୍କରେ କହିଥିଲେ ଯେ ଭାରତ ଇତିହାସରେ ଏହାଥିଲା ସବୁଠାରୁ ପ୍ରଥମ ବଡ଼ ଜନ ସଂଗ୍ରାମ। କାରଣ ପାଇକ ବିଦ୍ରୋହ କେବଳ ରାଜା କିମ୍ୱା ନେତୃବୃନ୍ଦ ମାନଙ୍କର ସଂଗ୍ରାମ ନଥିଲା, ଏହା ଥିଲା ଓଡ଼ିଶାର ବୀର ପାଇକମାନଙ୍କର ଏବଂ ସାଧାରଣ ଲୋକଙ୍କ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ସଂପୂର୍ଣ୍ଣ ସଂଗ୍ରାମ। ବୋଧହୁଏ, ସିପାହୀ ବିଦ୍ରୋହ ପାଇଁ ଓଡ଼ିଶାର ପାଇକ ବିଦ୍ରୋହ ଥିଲା ପ୍ରେରଣାର ଏକ ମହାନ୍ ଉତ୍ସ।
ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପଛରେ ଓଡ଼ିଆ ଭାଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱତନ୍ତ୍ର ରାଜ୍ୟ ଗଠନ କ୍ଷେତ୍ରରେ ଆମର ସଂଗ୍ରାମୀ ମହାପୁରୁଷମାନେ ଓଡ଼ିଆ ଭାଷାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ।
ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି ୯୦ତମ ବର୍ଷ ଆରମ୍ଭ ହୋଇଛି। ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭିତରୁ ଏକ ସ୍ୱତନ୍ତ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ କରିବା ଥିଲା ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ ।
କିନ୍ତୁ, ଓଡ଼ିଆ ଜାତି ଭାବରେ ଆମର ସ୍ୱପ୍ନ ଅସୀମ, ଅସୁମାର। ଆମର ଲକ୍ଷ୍ୟ ଖୁବ୍ ବିଶାଳ। ସେହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମର ଓଡ଼ିଆ ଭାଇ ଭଉଣୀମାନେ ରାଜ୍ୟରେ ଆଣିଛନ୍ତି ପରିବର୍ତନ। ଆପଣମାନଙ୍କ ପରିବର୍ତନର ସ୍ୱପ୍ନ ଓ ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କ ନୂଆ ସରକାର ଦୃଢ଼ ସଂକଳ୍ପ ଓ ଉତ୍ସାହର ସହ ଉଦ୍ୟମ ଆରମ୍ଭ କରିଛନ୍ତି।
ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତିଭୂମି ନିର୍ମାଣ କରିବୁ। ଆହୁରି ଆଗକୁ ଯାଇ, ୨୦୪୭ରେ ଆମର ଓଡ଼ିଶାକୁ ଆମେ ବିକଶିତ ଭାରତର ଏକ ଗ୍ରୋଥ୍ ଇଞ୍ଜିନ୍ କରିବୁ। ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକଟି ସ୍ତମ୍ଭ ଓଡ଼ିଶାବାସୀ ହିଁ ନିର୍ମାଣ କରିବେ ଏବଂ ଓଡ଼ିଶାବାସୀ ହିଁ ପୁଣି ଥରେ ଲେଖିବେ ସେମାନଙ୍କର ଗୌରବମୟ ଇତିହାସ।ମଧୁବାବୁଙ୍କ ଜନ୍ମମାଟିରେ ଆମର ଏହି ସଂକଳ୍ପ, ଓଡ଼ିଶା ପାଇଁ ଆଣିବ ଏକ ନୂଆ ସକାଳ। ମଧୁ-ମାଟିର ପ୍ରତ୍ୟେକଟି କଣିକା ଓଡ଼ିଆ ଜାତିର ସ୍ୱପ୍ନ ଓ ସଫଳତାର ବାର୍ତାବହ।
ସମୃଦ୍ଧ ଓଡିଶା ଗଠନର ତିନିଟି ଆଧାର– ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ ।
ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ତିନୋଟି ଶକ୍ତିର ଉପଯୋଗ କରିବୁ। ସେଇ ତିନୋଟି ଆଧାର ହେଉଛି –
ଅସ୍ମିତା ହେଉଛି ଆମର ଓଡ଼ିଆ ସ୍ୱାଭିମାନ। ଆମର ମୌଳିକ ପରିଚୟ। ନିଜର ପରିଚୟ ବିନା ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳେ ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମର ଗର୍ବ ଓ ଗୌରବ। ଦ୍ୱିତୀୟଟି ହେଉଛି ଉଚ୍ଚାଶା। ଉଚ୍ଚ ହେବା ପାଇଁ ପ୍ରଥମେ ଆମର ଆଶା, ଆକାଂକ୍ଷାକୁ ଉଚ୍ଚ କରିବାକୁ ପଡ଼ିବ। ବଡ଼ ସ୍ୱପ୍ନ ନ ଦେଖିଲେ, ଆମେ ବଡ଼ ହୋଇ ପାରିବା ନାହିଁ । ସେଥିପାଇଁ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ।
ତୃତୀୟଟି ହେଉଛି ଅବିଶ୍ରାନ୍ତ ଉଦ୍ୟମ। ଆମର ଏହି ଉଚ୍ଚ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଯେଉଁ ସମୟ, ଯେଉଁ ସୁଯୋଗ ପାଇଛୁ, ତା’ର ପ୍ରତ୍ୟେକଟି ମୁହୂର୍ତକୁ ଓଡ଼ିଶାର ବିକାଶ, ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିନିଯୋଗ କରିବୁ। ଏହି ତିନୋଟି ଶକ୍ତିକୁ ଆଧାର କରି ଆଗାମୀ ଦିନରେ ଆମେ ବିକଶିତ ଓଡିଶା ଗଠନ କରିବୁ ।
ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ତ୍ୟାଗ ଓ ପରିଶ୍ରମ ଜରିଆରେ ଓଡ଼ିଶା, ଦେଶର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ସାରା ଭାରତ ପାଇଁ ଆଲୋକ ବର୍ତ୍ତିକା ହେବ। ଏକ ପ୍ରକୃତ ଗଣତାନ୍ତ୍ରିକ ସରକାର ହେଉଛି ଯାହା ଲୋକଙ୍କ ସାଥିରେ ରହେ, ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ ପାଇଁ ଉଦ୍ୟମ କରେ। ଆମ ସରକାର ପ୍ରଥମ ଦିନରୁ ହିଁ ଲୋକଙ୍କ ପାଇଁ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରି ଆସୁଛି।
ଆପଣମାନେ ଯେଉଁ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆମର ନୂଆ ସରକାର ଗଠନ କରିଥିଲେ, ସେହି ପରିବର୍ତ୍ତନର ଭିତ୍ତି ଆମେ ଏହି ଅଳ୍ପ ସମୟ ମଧ୍ୟରେ ସ୍ଥାପନ କରିସାରିଛୁ। ଓଡ଼ିଶା ପାଇଁ ବିପୁଳ ସମ୍ଭାବନାର ଏକ ଯୁଗ ସୃଷ୍ଟି ହୋଇଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି… ସବୁ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିର ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରି ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସବୁ ବିଭାଗ ମଧ୍ୟରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି। ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସନ୍ତା କାଲି ଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଆରମ୍ଭ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ପି.ଏମ୍ ଉଷା ଯୋଜନା କାର୍ଯ୍ୟକାରୀ କରାଯାଇ ଗୁଣାତ୍ମକ ଶିକ୍ଷା ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି।
ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସୁଲଭ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ରାଜ୍ୟର ସାଢ଼େ ତିନି କୋଟିରୁ ଅଧିକ ଲୋକ ଦେଶର ୨୯ ହଜାର ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ। ଏହା ଦ୍ୱାରା ଆମର ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ବିଶେଷ ଉପକୃତ ହେବେ। ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯାଇ ୭୦ ବର୍ଷରୁ ଅଧିକ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଯୋଡା ଯାଉଛି।
ଭିତ୍ତିଭୂମି ହେଉଛି ବିକାଶର ପ୍ରଥମ ପାହାଚ। ବିନା ଭିତ୍ତିଭୂମିରେ ଅର୍ଥନୈତିକ ଅଭିବୃଦ୍ଧିର ପରିକଳ୍ପନା କରାଯାଇପାରିବ ନାହିଁ। ରାଜ୍ୟ ରାଜପଥ ଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ନୂତନ ସଡ଼କ ନୀତି ପ୍ରସ୍ତୁତ କରିବା ସହିତ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ବର୍ଷରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଆ ଅସ୍ମିତା ଭବନ, ଓଡ଼ିଆ ଅନୁବାଦ ଏକାଡେମୀ, ତାଳପତ୍ର ପୋଥି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀ ଆଦି ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ। ବାଲିଯାତ୍ରା ଓ ଧନୁଯାତ୍ରା ଭଳି ମହୋତ୍ସବକୁ ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଆଯାଉଛି। ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ଯୋଜନାରେ ପେନ୍?ସନ ପ୍ରଦାନ ଓ ଜରୁରୀକାଳିନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ପେନସନ ପ୍ରଦାନର ବ୍ୟବସ୍ଥା କରାଯାଇଛି।
ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ‘ପ୍ରବାସୀ ଓଡ଼ିଆ: ଓ-ସମ୍ପର୍କ’ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୋଇ ସେମାନଙ୍କ ଅମୂଲ୍ୟ ଅବଦାନ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ବେଶ୍ ଆଗ୍ରହୀ। ଏହି ଉଦ୍ଦେଶ୍ୟରେ ଆମେ ଏକ ସ୍ୱତନ୍ତ୍ର ପ୍ରବାସୀ ଓଡ଼ିଆ ନୀତି ମଧ୍ୟ ପ୍ରସ୍ତୁତ କରିବୁ ଏବଂ ପ୍ରତି ଦୁଇ ବର୍ଷରେ ପ୍ରବାସୀ ଓଡ଼ିଆ ଦିବସ ମଧ୍ୟ ପାଳନ କରାଯିବ। ଆମ ସରକାରଙ୍କ ଏକ ମୁଖ୍ୟ ଫୋକସ୍ ହେଉଛି, ମା’ମାନଙ୍କ ବିକାଶ। ଆମର ସୁଭଦ୍ରା ଯୋଜନା ଏକ କୋଟିରୁ ଅଧିକ ମା’ମାନଙ୍କ ପାଇଁ ସଶକ୍ତିକରଣର ମାର୍ଗ ପ୍ରସ୍ତୁତ କରିଛି। ୨୦୨୭ ସୁଦ୍ଧା ଆମର ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ହୋଇସାରିଲେଣି। ମୁଁ ଆଶା କରୁଛି, ୨୦୨୭ରେ ଆମେ ଆମର ଲକ୍ଷ୍ୟର ବହୁତ ଆଗରେ ଥିବୁ। ଓଡ଼ିଶାର ସଶକ୍ତ ମା’ମାନେ ହିଁ ନିର୍ମାଣ କରିବେ ସଶକ୍ତ ଓଡ଼ିଶା।ଦକ୍ଷତା ବିକାଶ ପାଇଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ‘ସି.ଏମ୍- ଆସ୍ପାୟାର୍ ଯୋଜନା’, ପାରମ୍ପରିକ କ୍ଷେତ୍ରରେ ତାଲିମ ପାଇଁ ‘ନୂଆ ଓଡ଼ିଶା ଯୋଜନା’, ଆଇ.ଟି.ଆଇ ଓ ପଲିଟେକ୍ନିକ୍ ଗୁଡିକର କ୍ଷମତା ବୃଦ୍ଧି ଆଦି ଅନେକ ପଦକ୍ଷେପ ନିଆ