ଭୁବନେଶ୍ୱର- ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ତଥା ବିପ୍ଲବୀ କବି ରବି ସିଂଙ୍କ ଆଜି ସକାଳେ କଟକ ସ୍ଥିତ ଖପୁରିଆ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲେ । ସ୍ୱର୍ଗତ ସିଂଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ଅଂଚଳରୁ ବହୁ ସାହିତ୍ୟିକ, ସାମ୍ବାଦିକ ଏବଂ କିଛି ରାଜନୈତିକ ବ୍ୟକ୍ତିଙ୍କ ସମେତ ଆଇନଜିବୀ ତାଙ୍କ ବାସଭବନକୁ ଯାଇ ସ୍ୱର୍ଗତ ସିଂଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ରାଷ୍ଟ୍ରିୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସିପିଏମ୍ ନେତା ଜନାର୍ଦ୍ଦନ ପତି, ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ସିଂଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଯାହାକୁ କେବେହେଲେ ଓଡ଼ିଆ ଜାତି ଭୁଲି ପାରିବ ନାହିଁ । ଶେଷ ଜୀବନ ପର୍ଯ୍ୟନ୍ତ ସେ ନିଜକୁ ସାହିତ୍ୟରେ ବ୍ରତୀ ରଖିଥିଲେ । ସେ ଜଣେ ସ୍ୱାଭିମାନୀ ଓ ସାଲିସବିହୀନ କବି ଥିଲେ ।
ତାଙ୍କର ସାହିତ୍ୟ କୃତି ମଧ୍ୟରେ ଭଙ୍ଗା ହାଡ଼ର କବିତା, ସର୍ବହରା, ନିଃସଙ୍ଗ ପଦାଦିତ ଆଦି ବେଶ୍ ପାଠକୀୟ ଆଦୃତି ଲାଭ କରିଛି । ସେହିପରି ପଥ ପ୍ରାନ୍ତର କବିତା, ଅପ୍ରିତିକର କବିତା, ବିଦିର୍ଣ୍ଣ ଭ୍ରୁକୁଟି ବିଷବାଣୀ, କ୍ଷତ, ଲାଲ୍ ପାଗଡ଼ାର ପ୍ରେତ ଆଦି କବିତାର ସେ ସ୍ରଷ୍ଟା ଥିଲେ । ଏହା ବ୍ୟତୀତ ଅନୁବାଦ ସାହିତ୍ୟ ମଧ୍ୟରେ ବିରସ କଷଣୀ, ବୋତଲ ଭୂତ, ପୂର୍ବକ୍ଷଣ, ଅନ୍ଧକାରର ସଙ୍ଗୀତ, ନାୟକ ଆମ ସମୟର ଅନ୍ତର୍ଭୁକ୍ତ । ସେ ୧୯୬୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଲାଭ କରିଥିବା ବେଳେ ୨୦୧୭ ରେ ଅତିବଡ଼ି ଜଗନ୍ନାଥ ଦାଶ ସମ୍ମାନରେ ସମ୍ମାନିତ ହୋଇଥିଲେ ।