
ଜୟପୁର- ଜୟପୁର ସ୍ଥିତ ଏମ୍.ଏସ୍. ସ୍ୱାମିନାଥନ ରିସର୍ଚ୍ଚ ଫାଉଣ୍ଡେସନ ଠାରେ ଗୋଷ୍ଠୀ କ୍ଷୁଧା ନିବାରକଙ୍କ ନିମନ୍ତେ ୧୦ ଦିନ ଧରି ଚାଲିଥିବା ତାଲିମ୍ କାର୍ଯ୍ୟକ୍ରମ ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ଓ ଦୋରାଗୁଡା ଗ୍ରାମପଂଚାୟତର ୯୨ ଜଣ ଗୋଷ୍ଠୀ କ୍ଷୁଧା ନିବାରକ ୩ଟି ପର୍ଯ୍ୟାୟରେ ତାଲିମ୍ ନେଇଥିଲେ । ତାଲିମ୍ ଶିବିରର ଅନ୍ତିମ ଦିବସରେ ସେମାନଙ୍କୁ ସରକାରଙ୍କର ବିଭିନ୍ନ କଲ୍ୟାଣକାରି ଯୋଜନା ଉପରେ ସଚେତନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ଯୋଗଦେଇ ତାଲିମଧାରୀ ମାନଙ୍କ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ଉକ୍ତ ଅଂଚଳର ଅପପୃଷ୍ଟୀକୁ ରୋକିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପଶୁ ସଂପଦ, ମହିଳା ଓ ଶିଶୁ ବିକାଶ ବିଭାଗ, ପଂଚାୟତିରାଜ ବିଭାଗ, ଜିଲା ଶିଳ୍ପକେନ୍ଦ୍ର, ସ୍ୱାସ୍ଥ୍ୟ ବିଭାଗର ଅଧିକାରି ମାନେ ଏହି ତାଲିମ ଶିବିରରେ ନିଜ ନିଜ ବିଭାଗ ଅଧିନରେ ଥିବା କଲ୍ୟାଣକାରୀ ଯୋଜନା ବିଷୟରେ ତାଲିମଧାରୀ ମାନଙ୍କୁ ଅବଗତ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଅକ୍ଷୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ଗୋଷ୍ଠୀ କ୍ଷୁଧା ନିବାରକ କୁମାରୀ ଲଛମା କରଲିଆ ଧନ୍ୟବାଦ ଅର୍ପଣ କରିଥିଲେ ।