ଭୁବନେଶ୍ୱର – ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ଭାରତର ବିଭିନ୍ନ ପ୍ରାନ୍ତରର ହସ୍ତତନ୍ତ ସଂସ୍ଥାମାନ ଯୋଗଦାନ କରିଛନ୍ତି । ହସ୍ତତନ୍ତ ମେଳାରେ ଜାନୁଆରୀ ୩୧ ତାରିଖ ଦିନ ମାଣିଆବନ୍ଧି କଟନ ଦିବସ ରୂପେ ପାଳିତ ହୋଇଯାଇଛି । ଆଜି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ମାଣିଆବନ୍ଧି କଟନ ବୁଣାରେ ଦକ୍ଷତା ହାସଲ କରିଥିବା ୨ ଜଣ ବୁଣାକାର ଶ୍ରୀ ଶ୍ୟାମସୁନ୍ଦର କରଣ ଓ ଶ୍ରୀ ଅନାଦି ଚରଣ ପାତ୍ରଙ୍କୁ ବୟନିକା ତରଫରୁ ବୟନ ସମ୍ମାନରେ ସମ୍ମାନିତ କରାଯାଇଛି । ଏମାନେ ପାରମ୍ପରିକ ଭାବେ ମାଣିଆବନ୍ଧି କଟନ ବୁଣା ପିଲାଦିନରୁ ଶିକ୍ଷା କରି ବର୍ତମାନ ଏହି ବୟନକଳାକୁ ସୁଦୂରପ୍ରସାରୀ କରିପାରିଛନ୍ତି । ଆଜି ହସ୍ତତନ୍ତ ମେଳାରେ ନେହା ନିହାରିକା ଏବଂ ତାଙ୍କ ଗ୍ରୁପ୍ର ୟଙ୍ଗ୍ ଟାଲେଣ୍ଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଦର୍ଶକ ୧୦ଟି ଖାଦ୍ୟ ଷ୍ଟଲ୍ରେ ଉପଲବ୍ଧ ହେଉଥିବା ପୁଷ୍ଟିକର ଓଡ଼ିଆ ଖାଦ୍ୟ ଦହିବରା-ଆଳୁଦମ୍, ମାଲପୁଆ, ବରା, ରାଜସ୍ଥାନୀ ଜିଲାପି ଭଳି ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି । ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପଯର୍ୟନ୍ତ ଖୋଲା ରହୁଛି ।