
କେନ୍ଦ୍ରାପଡ଼ା- କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଳିଜଙ୍ଗା ଗାଁର ଅଶ୍ରୁଖଳା ଜୋର ନିକଟ ବୁଦା ମୂଳରୁ ଅଧାପୋତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ସମ୍ପୃକ୍ତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ହେଲେ ତାଙ୍କ ଘର ବିହାର ରାଜ୍ୟରେ । ସେ ଆଳିଜଙ୍ଗାରେ ପ୍ରାୟ ୫ ମାସ ହେବ ଏକ ଭଡ଼ା ଘରେ ରହୁଥିଲେ । ତାଙ୍କ ସ୍ୱାମୀ ଏଠାରେ ଗୁପଚୁପ୍ ବ୍ୟବସାୟ କରୁଥିବା ଜଣାପଡିଛି ।
ଆଜି ସକାଳେ ବୁଦା ମୂଳରେ ମହିଳାଙ୍କ ମୃତଦେହ ଏପରି ଅଧାପୋତା ଅବସ୍ଥାରେ ଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପାଟକୁରା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ସେ ରହୁଥିବା ଭଡ଼ା ଘରେ କେହିନଥିବା ବେଳେ ତାହା ବାହାର ପଟୁ ତାଲା ପଡିଥିବାରୁ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।