-
ଆସନ୍ତା ଫେବୃଆରୀ ୧୫ ତାରିଖ ଠାରୁ କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାରେ କିଷାନ କର୍ମଶାଳା
ଭୁବନେଶ୍ୱର – କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ଚାଷୀ ମାରଣ ନୀତି ବିରୁଦ୍ଧରେ କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ଫେବୃଆରୀ ୧୫ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ପ୍ରତି ଜିଲ୍ଲାରେ ବ୍ୟାପକ ଜନସଚେତନତା ଓ କିଷାନ କର୍ମଶାଳା ଆୟୋଜନ କରାଯିବ । ଏହା ବ୍ୟତୀତ ରାଜ୍ୟ ଠାରୁ ପଂଚାୟତ ସ୍ତର ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରାଯିବ ବୋଲି ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି ପ୍ରକାଶ କରିଛନ୍ତି । ଶନିବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀ ସାଲାଙ୍କି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ ବର୍ଷର ଶାସନକାଳରେ ଦେଶରେ ଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନଘଟିବା, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କ ବିକାଶ ପରିବର୍ତେ କମ୍ପାନୀ ପ୍ରୀତିରେ ଚାଲିଥିବା ବେଳେ ଚାଷ ପାଇଁ ଜଳସେଚନ କ୍ଷେତ୍ରରେ ଏକ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସଂଗୀନ ପରିସ୍ଥିତିରେ ଚାଷୀ ବେସାହାରା । ଚାଷୀର ଆୟ ବୃଦ୍ଧି କଥାରେ ନୁହେଁ କାମରେ ହେବା ଦରକାର । କେବଳ ପ୍ରଚାର ଓ ପ୍ରସାରରେ ଏହି ଉଭୟ ସରକାରର ସର୍ବସ୍ୱ ହୋଇଛି ସେ ବୋଲି କହିଥିଲେ ।କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ଓ ଅଖିଳ ଭାରତ କିଷାନ କଂଗ୍ରେସ ଉଚ୍ଚ କର୍ତୃପକ୍ଷଙ୍କ ସହିତ କିଷାନ କଂଗ୍ରେସ ସଂଗଠନ ଓ ଉଭୟ ସରକାରର ଚାଷୀମାରଣ ନୀତିର ପ୍ରତିବାଦ ଓ ଚାଷୀଙ୍କ ହକ୍ ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଦିଗରେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ବିଶେଷ କରି ସମସ୍ତ ଚାଷୀଙ୍କ ଠାରୁ କୃଷିଋଣ ଛାଡ, ପ୍ରତି ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନ୍ସନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି, ମଣ୍ଡି ସଶକ୍ତି କରଣ, ଚାଷ ପାଇଁ ଶତ ପ୍ରତିଶତ ଜଳସେଚନ, କୃଷିଭିତିକ ଶିଳ୍ପ ଓ ଶୀତଳଭଣ୍ଡାରଗୁଡିକର ପୁନରୁଦ୍ଧାର ଓ ପ୍ରତିଷ୍ଠା, ଭାଗଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ଦୁଇଗୁଣା ବୃଦ୍ଧି ପ୍ରଭୃତି ଉପରେ ଦୃଢ ଦାବି କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି କରାଯାଇଥିଲା ।
ଏହି ବୈଠକରେ ଚାଷୀନେତା ଶଶୀଭୂଷଣ ପାତ୍ର, କୃଷ୍ଣଚନ୍ଦ୍ର ନେପାକ, ନିତ୍ୟାନନ୍ଦ ପଣ୍ଡା, ଗୋବିନ୍ଦ ମିଶ୍ର, ଦୟାସାଗର ମେଣ୍ଡେଲି, ଫକୀର ବଳ, ନିରଞ୍ଜନ ବେହେରା ପ୍ରମୁଖ ଶତାଧିକ କର୍ମକର୍ତାମାନେ ଉପସ୍ଥିତ ରହି ସେମାନଙ୍କ ଅଂଚଳରେ ଚାଷରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ସରକାରଙ୍କ ବିଫଳତା ସଂପର୍କରେ ଆଲୋକପାତ କରିଥିଲେ ।