
କନ୍ଧମାଳ- ଫୁଲବାଣୀରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଜଣେ କରୋନା ଭାଇରସ ସଂକ୍ରମଣ ସନ୍ଦେହରେ ଭର୍ତି ହୋଇଛନ୍ତି । ସେ ହେଉଛନ୍ତି ଫୁଲବାଣୀ ସହରର ତାରିଣୀ ମୁନିଙ୍କ ପୁଅ ମୃତ୍ୟୁଞ୍ଜୟ । ମୃତ୍ୟୁଞ୍ଜୟ ଚୀନର ସିଚୁଆନ ସ୍ଥିତ ସାଉଥ ୱେଷ୍ଟ ମେଡିକାଲ ୟୁନିଭର୍ସିଟିରେ ୪ର୍ଥ ବର୍ଷ ଏମବିବିଏସ ପଢୁଛନ୍ତି । ସେ ଗତ ଜାନୁୟାରୀ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ । ତେବେ ଗତ ପ୍ରାୟ ଏକ ସପ୍ତାହ ହେଲା ତାଙ୍କର ସର୍ଦ୍ଦି ଓ କାଶ ଲାଗି ରହିଛି । ଏପରିକି ଔଷଧ ଖାଇଥିଲେ ମଧ୍ୟ ଭଲ ନହେବାରୁ ତାଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଆସିଥିଲେ । ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ସଂକ୍ରମଣ ୱାର୍ଡରେ ଭର୍ତି କରିଥିବା ବେଳେ ତାଙ୍କୁ ନୀରିକ୍ଷଣରେ ରଖାଯାଇଥିବା ଡାକ୍ତର କହିଛନ୍ତି । ଏଠାରେ କରୋନା ଭାଇରସ ପରୀକ୍ଷାର ସୁବିଧା ନଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ଓ ଆଜି ରାତିରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ପଠାଯିବ ବୋଲି ସିଡିଏମଓ ଡା. ରାଜଶ୍ରୀ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥି ସହ ଜିଲ୍ଲାବାସୀ କୌଣସି ପ୍ରକାର ଭୟଭିତ ନହେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । କରୋନା ଭାଇରସ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ସଜାଗ ଅଛି । ଦେଶରେ କରୋନା ଭାଇରସ ସମ୍ପର୍କିତ ଖବର ଆସିବା ପରେ ଗତ ୨୮ ତାରିଖରେ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ ମାନଙ୍କୁ ଏଥି ନେଇ ସଚେତନ କରାଯାଇଥିବା ବେଳେ ୨୯ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଆଜି ଏହି ଟାସ୍କଫୋର୍ସର ବୈଠକ ବସି ଜିଲ୍ଲାରେ କରୋନା ଭାଇରସକୁ ନେଇ କୌଣସି ପ୍ରକାର ଭୟଭିତ ନହେବାକୁ କୁହାଯିବା ସହ ଏଥିପାଇଁ ଲୋକଙ୍କୁ ସଚେତନ କରିବାକୁ ପୋଷ୍ଟର ବ୍ୟାନର ଓ ମାଇକ୍ ଯୋଗେ ପ୍ରଚାର କରିବାକୁ ନିଷ୍ପତି ନିଆଯାଇଛି । ଖାଇବା ପୂର୍ବରୁ ସବୁବେଳେ ସାବୁନରେ ହାତ ଧୋଇବା, କାଶ, ଛିଙ୍କ ସମୟରେ ମୁହଁରେ ରୁମାଲ ଘୋଡାଇବା, ସର୍ଦ୍ଦି ବା କାଶ ହେଉଥିବା ଲୋକଙ୍କ ଠାରୁ ଦୂରେଇ ରହିବା, ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବା, ବନ୍ୟ କିମ୍ବା ଫାର୍ମ ପ୍ରଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହ କରୋନା ଭୂତାଣୁ ସମ୍ପର୍କିତ କୌଣସି ସୂଚନା ପାଇଁ ଏକ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି ଓ ଏଥିପାଇଁ ଜରୁରୀକାଳିନ ଟେଲିଫୋନ ନଂ ୯୦୪୦୧୩୬୩୬୭ ଓ ଦ୬୮୪୨୨୫୩୪୨୯ କୁ ଯୋଗାଯୋଗ କରିବାକୁ କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡା କଲ୍ୟାଣୀ ମିଶ୍ର, ଡା. ବ୍ରଜକିଶୋର ଜେନା, ଡାକ୍ତରଖାନା ଅଧିକ୍ଷକ ଡା. ନାରାୟଣ ସୁବୁଦ୍ଧି, ଡା. ବସନ୍ତ କୁମାର ପାତ୍ର, ଡିପିଏମ ମନୋରଂଜନ ସାହୁ, ଡିଏମଆରସିଏଚ ଆଶିଷ କୁମାର ମହାନ୍ତି, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ସୂଚନା ଅଧିକାରୀ ଜ୍ୟୋସ୍ନାରାଣୀ ମହାନ୍ତି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO