
ଜୟପୁର– ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତ ଗାଁ | ଅନ୍ଧାର ରାତିରେ କଟୁଛି ଜୀବନ | ପାନୀୟ ଜଳ ପାଇଁ ଚାଲିବାକୁ ପଡୁଛି ମାଇଲିଏ ବାଟ | ରୋଗୀଙ୍କ ପାଇଁ ଯୋଗାଡ କରିବାକୁ ପଡୁଛି ଚାରି କାନ୍ଧ | ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ପଞ୍ଚାୟତର କସି ପଦର ଓ ରାଇଲି ପଦର ଗାଁ ର। ଉଭୟ ଗାଁ ପଞ୍ଚାୟତ ସଦର ମହକୁମା ଠାରୁ ୭ କି.ମି. ଦୂରରେ ଅବସ୍ଥିତ କସି ପଦର ଗାଁ। ଏହି ଗାଁ ରେ ୩୫ ପରିବାର ବସବାସ କରନ୍ତି। ପଞ୍ଚାୟତ ଠାରୁ ପିଣ୍ଡାପଦର ପର୍ଯ୍ୟନ୍ତ ରାସ୍ତା ଅଛି। ପିଣ୍ଡା ପଦର ଠାରୁ ୩ କିଲୋମିଟର ଚାଲି ଚାଲି ଗଲେ ପଡେ କସି ଭଟା ଗାଁ। ପିଣ୍ଡପଦର ଠାରୁ ଅନ୍ୟ ଏକ ରାସ୍ତା ଦେଇ ୭ କି.ମି. ଚାଲି ଚାଲି ଗଲେ ପଡେ ରାଇଲି ପଦର ଗାଁ । ରାଇଲି ପଦର ଗାଁ ରେ ୨୫ ପରିବାର ବାସ କରନ୍ତି। ଏହି ଦୁଇ ଗାଁ ରେ ପାଣିର ସୁବିଧା ନାହିଁ। ଦୂରରେ ଥିବା ଚୁଆ ପାଣି ହିଁ ଏମାନଙ୍କ ଭରସା। ଦୁଇ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନି। ପ୍ରଶାସନ ତରଫରୁ ସୋଲାର ଲାଇଟ ଲାଗିଥିଲେ ବି ଅନେକ ଲାଇଟ ଅଚଳ। ଗାଁ ରେ ଶିକ୍ଷା ସ୍ୱାସ୍ଥ୍ୟ ସେବା ଅପହଞ୍ଚ। ରାସ୍ତା ନଥିବାରୁ ରୋଗୀ ୩/୪ କିଲୋମିଟର ଖଟିଆରେ ବୁହା ହୁଅନ୍ତି। ରାସ୍ତା ନଥିବାରୁ ଏଠି ସରକାରୀ ଯୋଜନା ହେଉଛି ବାଟବଣା।ଲୋକଙ୍କୁ ଜୀବିକା ନଥିବାରୁ ପାହାଡିଆ ମାଣ୍ଡିଆ ଚାଷ କିମ୍ବା ଜଙ୍ଗଲୀ ଜାତ ଦ୍ରବ୍ୟ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାନ୍ତି ଏମାନେ। ଗାଁ ର ଚିତ୍ର ଦେଖିଲେ ଲାଗୁଛି ଯେମିତି ଅନ୍ଧାର ରାତିର ନିର୍ଜନତାରେ ହଜି ଯାଇଛି ଏହି ଗ୍ରାମବାସୀଙ୍କ କୋହ, ଆଶା ଓ ସବୁ ସପ୍ନ | ଉଭୟ ଦୁଇ ଗାଁ ସ୍ଥାପନ ହୋଇକି ବିତି ଗଲାଣି ପ୍ରାୟ ୩୦ ବର୍ଷ ତଥାପି ଏମାନଙ୍କୁ ମିଳିନାହିଁ ସରକାରୀ ସୁବିଧା | ନା ଗାଁ ରେ ଅଛି ପିଇବା ପାଣିର ବ୍ୟବସ୍ଥା ନା ଗାଁ ଯିବାକୁ ଅଛି ପକ୍କା ରାସ୍ତା ନା ଅଛି ଘରେ ଭିତରେ ବିଜୁଳି ଆଲୁଅ | ଦୁଇ ଗାଁ କୁ ଦୁଇ ବର୍ଷ ତଳେ ସୋଲାର ଲାଇଟ ଲାଗିଥିଲେ ବି ଅନେକ ଲାଗୁନି। ଫଳରେ ନିଜ ନିଜ ସକ୍ଷମ ଅନୁଯାଇ ନିଜେ ଚାର୍ଜ ଲାଇଟ ଯୋଗାଡ଼ କରିଛନ୍ତି। ଭଗବାନ ଭରସାରେ ପାହାଡ କୋଳରେ କଟୁଛି ଏମାନଙ୍କ ଜୀବନ | ସବୁଠାରୁ ବଡ ଦୁଃଖର କଥା ଏମାନଙ୍କ ପାଖରେ ଆଜିବି ଏମାନଙ୍କ ଗୁହାରି ଶୁଣିବା ପାଇଁ ପହଞ୍ଚିଲେ ନାହିଁ ସରକାରୀ ବାବୁ | ବର୍ତମାନ ନିଜ ଦୁଃଖ ଓ କଷ୍ଟକୁ ମନ ଭିତରେ ଚାପି ଏମାନେ ବର୍ତମାନ କୋହଭରା କଣ୍ଠରେ ଗୁହାରି କରିଛନ୍ତି କି ଦୀର୍ଘ ୩୦ ବର୍ଷ ର ଅପେକ୍ଷାର ଏଥର ହେବ ଅନ୍ତ ଆଉ ବଦଳିବ ସେମାନଙ୍କ ବାସ୍ତବ ଚିତ୍ର।
ରାଜ୍ୟର ଉପାନ୍ତ ଅଞ୍ଚଳର ବଦଳିଲା ନାହିଁ ଚିତ୍ର। ଆଜି ବି କୋରାପୁଟ ଜିଲ୍ଲାରେ ରହିଛି ମାଳ ମାଳ ଦୁର୍ଗମ ଗାଁ ଯେଉଁଠି ସରକାରୀ ବାବୁଙ୍କ ପାଦ ବି ପଡିନାହିଁ | ଯାହା ଫଳରେ ଆଜି ବି ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ଏହି ସବୁ ଦୁର୍ଗମ ଗାଁର ନିରୀହ ଆଦିବାସୀ | ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ବିଭାଗୀୟ ଅଧିକାରୀ ମାନେ ବି ଚୁପ ବସିଛନ୍ତି ।