-
କୁଷ୍ଠ ରୋଗର ନିରାକରଣ ହିଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ : ରାଜ୍ୟପାଳ
ଭୁବନେଶ୍ୱର – ଅନ୍ୟ ପାଇଁ ବଂଚିବା ଓ ଅନ୍ୟଠି ନିଜକୁ ଦେଖିବା ହିଁ ଭାରତୀୟ ତତ୍ୱ ଓ ଦର୍ଶନର ସାରବତା ଏବଂ ଏଥିରେ ଅଛି ଜୀବନର ସାର୍ଥକତା । କୁଷ୍ଠ ରୋଗର ନିରାକରଣ ନିମନ୍ତେ ଯେଉଁ ସଂସ୍ଥା ଓ ବ୍ୟକ୍ତିବିଶେଷମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଏକ ଆଧ୍ୟାତ୍ମିକ ସେବା କରୁଛନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଗୁରୁବାର ରାଜଭବନରେ କୁଷ୍ଠ ନିବାରଣ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ତଥା ହିନ୍ଦ୍ କୁଷ୍ଠ ନିବାରଣ ସଂଘର ଅଧ୍ୟକ୍ଷ ପ୍ରଫେସର ଲାଲ କହିଲେ ଯେ କୁଷ୍ଠ ରୋଗ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଦରକାର । କୁଷ୍ଠ ରୋଗ ପ୍ରତି ଥିବା ଭ୍ରାନ୍ତି ତଥା ସାମାଜିକ ବାଛବିଚାରମୂଳକ ମନୋଭାବରେ ପରିବର୍ତନ ହେବା ଆବଶ୍ୟକ । କୁଷ୍ଠ ରୋଗୀଙ୍କ ସେବା ହିଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ପ୍ରକାଶ କରି ରାଜ୍ୟପାଳ ସଂଘର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଏହାକୁ ଆହୁରି ତ୍ୱରାନ୍ୱିତ କରାଯାଉଥିବା ପ୍ରକାଶ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଓଡ଼ିଶାରେ କୁଷ୍ଠ ରୋଗର ସ୍ଥିତି ଓ ଏହାର ନିରାକରଣ ନିମନ୍ତେ ନୂତନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ହିନ୍ଦ୍ କୁଷ୍ଠ ନିବାରଣ ସଂଘ, ଓଡ଼ିଶା ଶାଖାର ସଚିବ ଡାକ୍ତର ଏସ୍.ପି. ସାହୁ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ
କରିଥିଲେ । କୁଷ୍ଠ ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀ ତଥା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।