-
ବିଜେପି ସାଂସଦ ମାନେ ରାଷ୍ଟ୍ରପତିଙ୍କୁ ଅପମାନଜନକ ମନ୍ତବ୍ୟ ଦେବା ପ୍ରସଙ୍ଗରେ
-
ପପ୍ପୁ ଯାଦବଙ୍କ ବିରୁଦ୍ଧରେ ଲୋକସଭା ବାଚସ୍ପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ
-
-ପପ୍ପୁ ଯାଦବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ – ଅନନ୍ତ ନାୟକ
ନୂଆଦିଲ୍ଲୀ /କେନ୍ଦୁଝର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ମହିଳା ଓ ଆଦିବାସୀ ବିରୋଧୀ ତଥା ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ ସାଂସଦ ପପ୍ପୁ ଯାଦବଙ୍କ ବିରୁଦ୍ଧରେ ବିଜେପି ସାଂସଦ ମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କେନ୍ଦୁଝର ବିଜେପି ସାଂସଦ ଅନନ୍ତ ନାୟକଙ୍କ ସମେତ ପାର୍ଟୀର ଅନ୍ୟ ସାଂସଦ ମାନେ ଆଜି ଲୋକସଭା ବାଚସ୍ପତି ଓମ ବିରଲାଙ୍କୁ ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରିବା ସହ ପପ୍ପୁ ଯାଦବଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ଅନନ୍ତ ନାୟକ କହିଛନ୍ତି ଯେ ପପ୍ପୁ ଯାଦବ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି ତ ରବର ଷ୍ଟାମ୍ପ ଅଟନ୍ତି । …. କାହାର ପ୍ରେମପତ୍ର ପଢିବାର ଅଛି ତାଙ୍କୁ.. । ତାଙ୍କର ଏହି ବକ୍ତବ୍ୟ ଅତ୍ୟନ୍ତ ଅପମାନଜନକ । ଏହି ବକ୍ତବ୍ୟ କେବଳ ଯେ ଅନୁଚିତ ତା ନୁହେଁ, ବରଂ ରାଷ୍ଟ୍ରପତି ପଦର ଗରିମା ଓ ସର୍ବୋଚ୍ଚ ଗଣତାନ୍ତ୍ରିକ ସଂସ୍ଥାର ପବିତ୍ରତା ଉପରେ ମଧ୍ୟ ପ୍ରତ୍ୟକ୍ଷ ଆକ୍ରମଣ ଅଟେ । ଭାରତର ରାଷ୍ଟ୍ରପତି ସାମ୍ବିଧାନିକ ଢାଂଚା ଭିତରେ ଏକ ସମ୍ମାନିତ ସ୍ଥାନ ରଖିଥାନ୍ତି। ତାଙ୍କର ଏଭଳି ବକ୍ତବ୍ୟ ଆମକୁ ଆନ୍ତର୍ଜାତିକ ସ୍ତରରେ ଲଜ୍ଜା ଓ ଉପହାସର ପାତ୍ର କରୁଛି । ପପ୍ପୁ ଯାଦବଙ୍କ ଏହି କୃତ୍ୟ ସଂସଦୀୟ ପରମ୍ପରା, ନୈତିକତା ଓ ଆଚାର ସଂହିତାର ଉଲ୍ଲଂଘନ ଅଟେ । ତେଣୁ ପପ୍ପୁ ଯାଦବଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଦାବି କରି ବିଜେପି ସାଂସଦ ମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।