ଭୁବନେଶ୍ୱର – ଭୁବନେଶ୍ୱରରେ ବାର୍ଡ ଫ୍ଲୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । କୁକୁଡ଼ା ମରା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ରାପିଡ ରେସ୍ପନ୍ସ ଟିମ୍ ଗଠନ କରାଯାଇଛି । ସେଥିମଧ୍ୟରୁ ୭ଟି ଦଳ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ଟି ଦଳ ନିରୀକ୍ଷଣ ଅଂଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ସୂଚନା ମିଳିଛି ।
ସଂକ୍ରମିତ ସ୍ଥାନର ଏକ କିମି ବ୍ୟାସାର୍ଦ୍ଧ ଅଂଚଳରେ ରାପିଡ ରେସପନ୍ସ ଟିମ୍ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହ ମାଂସ ଦୋକାନ ଓ ଅନ୍ୟାନ୍ୟ ଫାର୍ମରେ ମହଜୁଦ ଥିବା କୁକୁଡ଼ାଙ୍କୁ ମାରି ଗଭୀର ଗାତରେ ପୋତାଯାଉଛି । ଏହା ପରେ ଘରକୁ ଘର ବୁଲି ଯେଉଁମାନେ କୁକୁଡ଼ା ରଖିଛନ୍ତି ସେଗୁଡ଼ିକୁ ମାରିବାର ବ୍ୟବସ୍ଥା କରାଯିବ । ନିରୀକ୍ଷଣ ଅଂଚଳରେ ନିୟୋଜିତ ଥିବା ରାପିଡ୍ ରେସପନ୍ସ ଟିମ୍ ନିୟମିତ ବ୍ୟବଧାନରେ କୁକୁଡ଼ାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ ।
ଓୟୁଏଟିଠାରୁ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ଅଂଚଳରୁ ବାହାରକୁ କୌଣସି କୁକୁଡ଼ା ଓ କୁକ୍କୁଟ ଜାତୀୟ ପଦାର୍ଥ ଚାଲାଣ କରାଯାଇପାରିବ ନାହିଁ କି ପ୍ରବେଶ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବାଣୁମୁକ୍ତ ପ୍ରମାଣପତ୍ର ପ୍ରଦାନର ୯୦ ଦିନ ପରେ ସଂକ୍ରମିତ ଅଂଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ ।