
ଯାଜପୁର/କଟକ- ନରହନ୍ତା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରି ଯାଜପୁର ଜିଲ୍ଲା ଦାନଗଦି ନିକଟ କଂଟିପୁର ଜଙ୍ଗଲରେ ଗତକାଲି ସଂନ୍ଧ୍ୟାରେ ବନ ବଭାଗ ପକ୍ଷରୁ କାବୁ କରାଯିବା ପରେ ଆଜି ଏହାକୁ କଟକ ଜିଲ୍ଲା ଚୌଦ୍ୱାର ନିକଟସ୍ଥ କୁସୁନପୁର ଜଙ୍ଗଲରେ ଛାଡିବାକୁ ନିଆଯାଇଥିଲା । ହେଲେ ଦନ୍ତାର ଉତ୍ପାତ ଆଶଙ୍କାରେ ସ୍ଥାନୀୟ ଲୋକେ ଏହାକୁ ଦୃଢ଼ ବିରୋଧ କରିଥିଲେ । ଗରୁଡ଼ଗାଁ ପଂଚାୟତ ଅନ୍ତର୍ଗତ ହଳଦୀବସନ୍ତ ଗ୍ରାମ ନିକଟରେ ଲୋକେ ହାତୀକୁ ନିଆଯାଉଥିବା ଏହି ଗାଡିଟିକୁ ଅଟକାଇବାରୁ ବନ ବିଭାଗ ହାତୀଟିକୁ ସେହିଠାରୁ ଫେରାଇନେବାକୁ ବାଧ୍ୟ ହୋଇଥିଲା । ଶେଷ ଖବର ସୁଦ୍ଧା ଏବେ ହାତୀଟିକୁ ଚଣ୍ଡିଖୋଲ ଫେରାଇ ନିଆଯାଉଥିବା ସୂଚନା ମିଳିଛି ।
ପ୍ରକାଶ ଥାଉ କି, ନନ୍ଦନକାନନ ଓ ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ହାତୀଟିକୁ ଠାବ କରାଯିବା ସହିତ ଗତକାଲି ସଂନ୍ଧ୍ୟାରେ ଦାନଗଦି ନିକଟସ୍ଥ କଂଟିପୁର ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ହାତୀ କାବୁ ପରେ ଦାନଗଦି ଅଂଚଳରେ ବିଦ୍ୟୁତ ସରବରାହ ସ୍ୱାଭାବିକ୍ ହୋଇଛି । ଏହି ହାତୀ ଦାନଗଦି ଓ କୋରେଇ ଅଂଚଳରେ ଆତଙ୍କ ରଚିଥିଲା । ସପ୍ତାହକ ମଧ୍ୟରେ ୪ ଜଣଙ୍କୁ ଦଳି ମାରିବା ସହ ୨୦ ରୁ ଉର୍ଦ୍ଧ୍ୱ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ବନ ବିଭାଗ ହାତୀଟିକୁ କାବୁ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ଲୋକେ କିଛିଟା ଆଶ୍ୱସ୍ତ ଅନୁଭବ କରୁଛନ୍ତି ।