-
ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫
-
“ଭାରତର ସେମିକଣ୍ଡକ୍ଟର ମିଶନ୍ ସମଗ୍ର ବିଶ୍ୱକୁ ଉତ୍ସାହିତ କରିଛି,” କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ
-
ଓଡ଼ିଶାରେ ଏଆଇ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ, ଟେକ୍ ବିଜନେସ୍ ପାର୍କ, ଆଇଟି କ୍ଲସ୍ଟର୍ସ, ଜିସିସି ପାର୍କ୍ସ ଏବଂ ଫିନ୍ଟେକ୍ ହବ୍ ଗଠିତ ହେବ: ବିଭାଗୀୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ
-
କେନ୍ସ ଟେକ୍ନୋଲୋଜି ଓଡ଼ିଶାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୧,୫୦୦ କୋଟି ଟଙ୍କା ନିବେଶ କରିବ
ଭୁବନେଶ୍ୱର। ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ରାଜ୍ୟ ପାଇଁ ଉଲ୍ଲେଖନୀୟ ସୁଯୋଗ ଓ ସଫଳତା ଆଣିବା ପାଇଁ ସକ୍ଷମ ହୋଇଛି । ଏହି ଆୟୋଜନରେ ଆଇଟି/ଆଇଟିଏସ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର୍, ଡାଟା ସେଣ୍ଟର୍ ଏବଂ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରଗୁଡ଼ିକରେ ପାଖାପାଖି ୨୦ ,୯୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବ।
ଜୋହୋ, ଇମ୍ଭି ଫୋଟୋଭୋଲ୍ଟାଇକ୍ ପାୱର୍, ସ୍ମାର୍ଟସିଙ୍କ୍ ଇନୋଭେସନ୍, କେନ୍ସ ସର୍କିଟ୍ ଇଣ୍ଡିଆ, ହେଟେରୋଜିନିଅସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସୋଲ୍ୟୁସନ୍, ସାନ୍କୋଡ୍ ଟେକ୍ନୋଲୋଜିସ୍, ନେକ୍ସଟଜେନ୍ ହାଇଟେକ୍ ଏନର୍ଜି, ଭିସ୍ତାସ୍ ଗ୍ଲୋବାଲ୍ WLL ଏବଂ VVDN ଟେକ୍ନୋଲୋଜିସ୍ ଓଡ଼ିଶାରେ ଆଖିଦୃଶିଆ ନିବେଶ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ (E&IT) NASCOM, ୱାଧ୍ୱାନୀ ଫାଉଣ୍ଡେସନ୍, ଏବଂ SFAL, ବେଙ୍ଗାଲୁରୁ ସହିତ ଚୁକ୍ତିନାମା ସ୍ଵାକ୍ଷର କରିଛି। ଏହି ସଂଯୁକ୍ତି, ଓଡ଼ିଶାରେ ଏଆଇ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ ସ୍ଥାପନ, ନୂତନ ବୈଷୟିକ ଜ୍ଞାନକୌଶଳରେ ସରକାରୀ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ଏବଂ ରାଜ୍ୟର ପ୍ରମୁଖ ଓ-ଚିପି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସାହାଯ୍ୟ କରିବ ।
ଏହି କନ୍କ୍ଲେଭ୍ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ୍ ଚରଣ ମାଝି SiCSem Pvt. Ltd. ର ଭୂମିପୂଜନ କରିଛନ୍ତି। ଏହି କମ୍ପାନୀ ଭୁବନେଶ୍ୱର ଇନ୍ଫୋଭ୍ୟାଲି ଅଞ୍ଚଳରେ ୧୫ ଏକର ଜମିରେ ଏକ ସେମିକଣ୍ଡକ୍ଟର୍ ମାନୁଫାକ୍ଚରିଂ ଏବଂ ATMP ପ୍ରକଳ୍ପ ଆରମ୍ଭ କରିବ।
ଉଦ୍ଘାଟନ ଓ ଅଲୋଚନା
ଏହି ଅବସରରେ ଭାରତର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ “ଭାରତର ସେମିକଣ୍ଡକ୍ଟର ମିଶନ୍ ସାରା ବିଶ୍ୱକୁ ଉତ୍ସାହିତ କରିଛି । ଓଡ଼ିଶାର ଉଦୀୟମାନ ଯୁବଶକ୍ତି ଏହି ଯାତ୍ରାରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।”
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ୍ ମହାଲିଙ୍ଗ କହିଛନ୍ତି ଯେ, “ଓଡ଼ିଶା ସରକାର ୨୦୩୬ ରେ USD ୫୦୦ ବିଲିଅନ୍ ଏବଂ ୨୦୪୭ ରେ USD ୧.୫ ଟ୍ରିଲିଅନ୍ ଅର୍ଥନୈତିକ ଟାର୍ଗେଟ୍ ରଖିଛନ୍ତି । ଏହି ଲକ୍ଷ୍ୟ ପାଇଁ ଟେକ୍ ବିଜନେସ୍ ପାର୍କ୍, ଜିସିସି ପାର୍କ, ଫିନ୍ଟେକ୍ ହବ୍ ଏବଂ ଡାଟା ସେଣ୍ଟର୍ ନିର୍ମାଣ ପ୍ରୟାସ ଜାରି ରହିଛି ।”
ଯାଜପୁରର ସାଂସଦ ଡ଼ଃ. ରବିନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ, “ଓଡିଶାର IT ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ AI ର ବିକାଶ ସହିତ, ଆମେ ଏକ ମହତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛେ । ଏହା ଆମ ଓଡିଶା ପାଇଁ ଅନେକ ସୁଯୋଗ ଓ ସମ୍ଭାବନାର ଦ୍ୱାରା ଖୋଲି ଦେଇଛି, ଏବଂ ଆମ ରାଜ୍ୟ ପ୍ରଯୁକ୍ତି ଏବଂ ଡିଜିଟାଲ୍ ଅଭିବୃଦ୍ଧିରେ ବିଶ୍ୱର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି ।”
ଓଡ଼ିଶାର ବୈଷୟିକ ବିକାଶ ଯାତ୍ରାକୁ ପ୍ରତିଫଳିତ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ କହିଛନ୍ତି ଯେ , “ଓଡିଶା ଏବେ ଦେଶରେ ଏକ ପ୍ରମୁଖ ଟେକ୍ନୋଲୋଜି ହବ ଭାବରେ ନିଜକୁ ପ୍ରତିଷ୍ଠା କରୁଛି । ବିଶ୍ୱ ଓ ଜାତୀୟ IT ଏବଂ ପ୍ରଫେସନାଲ୍ ସର୍ଭିସେସ୍ କମ୍ପାନୀଗୁଡିକ ଏବେ ଭୁବନେଶ୍ୱରରେ ତାଙ୍କର ଉତ୍କର୍ଷ କେନ୍ଦ୍ର ସ୍ଥାପନ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସରେ, ବଡ଼ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡିକ ଓଡିଶାକୁ ଆସୁଛନ୍ତି – ସିଲିକନ୍ କାର୍ବାଇଡ୍ ପାୱର ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ଠାରୁ ଆରମ୍ଭ କରି ଗ୍ଲାସ୍ ସବସ୍ଟ୍ରେଟ୍-ଆଧାରିତ ପ୍ୟାକେଜିଂ ୟୁନିଟ ପର୍ଯ୍ୟନ୍ତ।
ଏହି ଅବସରରେ ଆୟୋଜିତ ଉଦ୍ଘାଟନ ସମାରୋହରେ ଅନେକ ଉତ୍ସାହପୂର୍ଣ୍ଣ କ୍ରିୟାକଳାପ ସମ୍ପନ୍ନ ହୋଇଥିଲା, ସେଗୁଡିକହେଲେ ଓଡିଶାର ନିବେଶ ପରିସରର ଉତ୍ତରଣ, ରାଜ୍ୟର ପ୍ରଗତି, ନିବେଶକ ଓ ପ୍ରମୁଖ କମ୍ପାନୀଗୁଡିକର ବିଶ୍ୱସ୍ଥତା ଏବଂ ରାଜ୍ୟର ଯୁବଶକ୍ତିର ଉଜ୍ଜ୍ୱଳ ଭବିଷ୍ୟତ ଇତ୍ୟାଦି ।
ଆଲୋଚନା ସମୟରେ ଅଜୟ ଵିଜ, ସିନିୟର କଣ୍ଟ୍ରୀ ମ୍ୟାନେଜିଙ୍ଗ୍ ଡାଇରେକ୍ଟର, ଏକ୍ସେଞ୍ଚୁର୍ ଇଣ୍ଡିଆ କହିଥିଲେ ଯେ, “ଆମେ ଓଡିଶା ସରକାର ସହ ଦୀର୍ଘକାଳିନ ସମ୍ପର୍କ ରଖିଆସିଛୁ, ଏବଂ ଓଡିଶା ସରକାରଙ୍କ ସହ କାମ କରିବାରେ ଆମେ ବହୁତ ଖୁସି ପାଇଛୁ । ଭାରତ ଓ ଓଡିଶାର ଶକ୍ତି ହେଉଛି ତାହାର ପ୍ରତିଭାଶାଳୀ ଯୁବଶକ୍ତି । ଆମେ ଓଡିଶା ସରକାରଙ୍କ ପ୍ରଗତିର ଜୟଯାତ୍ରାରେ ସାଥି ହେବାକୁ ଇଛା କରିଛୁ ।”
ଶୈଳେନ୍ଦ୍ର କୁମାର, ସିନିୟର ଭାଇସ୍ ପ୍ରେସିଡେଣ୍ଟ, ଓରାକଲ୍ କହିଛନ୍ତି ଯେ, “ଉତ୍କର୍ଷ ଓଡିଶା: ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ ଓଡିଶା ସରକାରଙ୍କର ଡିଜିଟାଲ୍ ସମୃଦ୍ଧି ଉଦ୍ଦେଶ୍ୟକୁ ସାଧିତ କରିବ । ଓଡିଶା ସହ ଆମର ସମ୍ପର୍କ ତିନି ଦଶନ୍ଧିର । ଆମେ ସବୁବେଳେ ଓଡିଶାର ପ୍ରତିଭା ଏବଂ ଅନୁକୂଳ ପରିବେଶରେ ପ୍ରଭାବିତ ହୋଇଆସିଛୁ ।”
ଓଡିଶା ସରକାରଙ୍କର ପ୍ରଗତିଶୀଳ ଦୃଷ୍ଟିକୋଣକୁ ପ୍ରଶଂସା କରି, ରୋମାଲ୍ ଶ୍ୱେତଥି ଶେଟି, ସିଇଓ, ଡିଲୋଇଟ୍ ସାଉଥ୍ ଏସିଆ କହିଛନ୍ତି ଯେ, “ଓଡିଶାରେ ମୋର ଅନୁଭବ ଆଧାରରେ, ମୁଁ କହିପାରିବି ଯେ, ଓଡିଶା ସରକାର ଚିନ୍ତାଧାରା ପ୍ରଗତିଶୀଳ । ଅଧିକ ସୁଯୋଗ ସୃଷ୍ଟିପାଇଁ , ଆମେ ପ୍ଲଗ୍-ଏଣ୍ଡ-ପ୍ଲେ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ପୂର୍ବ ତଟରେ ଡାଟା ସେଣ୍ଟର୍ ସ୍ଥାପନ କରିବା ଆବଶ୍ୟକ। ସଠିକ ସାମାଜିକ ଭିତ୍ତିଭୂମି ସୃଷ୍ଟି କରିବା ସଂସ୍ଥାନ ବୃଦ୍ଧି ଏବଂ ନୂତନତ୍ୱ ଆଣିବାରେ ସହାୟକ ହେବ।”
ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କ୍ରମରେ, VLSI ସୋସାଇଟି ଅଫ୍ ଇଣ୍ଡିଆ ଏବଂ ବିଭାଗ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦୦ଟି ଇଲେକ୍ଟ୍ରୋନିକ୍ କିଟ୍ ସ୍ପୋନସର କରିଛି। ଟେକ୍ସାସ୍ ଇନସ୍ଟ୍ରୁମେଣ୍ଟସ୍, ରେନେସାସ୍ ଇଲେକ୍ଟ୍ରୋନିକ୍ସ, ଏନାଲଗ୍ ଡିଭାଇସ୍ ଏବଂ ମାଇକ୍ରୋଚିପ୍ ଟେକ୍ନୋଲୋଜି ସହଯୋଗରେ ଉନ୍ନତ ଇଲେକ୍ଟ୍ରୋନିକ୍ କିଟ୍ ସ୍ପୋନସର କରାଯାଇଥିଲା, ଯାହାକୁ IIIT ଭୁବନେଶ୍ୱର, GCE କଲହାଣ୍ଡି, GCE କେନ୍ଦୁଝର ଏବଂ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ପ୍ରତିନିଧିମାନେ ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରହଣ କରିଥିଲେ।
ଏହି ସମାରୋହରେ ଓଡିଶାର ବୈଷୟିକ ଶକ୍ତିକୁ ପ୍ରଦର୍ଶିତ ଏକ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମାନସ ପଣ୍ଡାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।
ESDM ସେସନରେ, ଭାରତର ସେମିକଣ୍ଡକ୍ଟର ଶିଳ୍ପ ବଜାରର ଆକାର, ଦ୍ରବ୍ୟ ଏବଂ ସିଷ୍ଟମ୍ ଡିଜାଇନ୍କୁ ପ୍ରୋତ୍ସାହିତ କରିବା ପାଇଁ ସଠିକ ନୀତି ପ୍ରଣୟନର ଆବଶ୍ୟକତା, ପାୱର ଡିଭାଇସ୍ ମଧ୍ୟରେ ସେମିକଣ୍ଡକ୍ଟରଗୁଡିକର ମହତ୍ତ୍ୱ, ସେମିକଣ୍ଡକ୍ଟର ଷ୍ଟାର୍ଟ-ଅପ୍ ପରିସରର ପରିବ୍ୟାପ୍ତି, ଏବଂ ଜାତୀୟକରଣର ଭୂମିକା ଆଦି ବିଷୟଗୁଡିକୁ ଚର୍ଚ୍ଚା କରାଯାଇଥିଲା।
ଓଡିଶାର ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଡିଜାଇନ୍ ଏବଂ ମାନୁଫାକ୍ଚରିଂ (ESDM) କ୍ଷେତ୍ରର ଉନ୍ନତି ଏବଂ ଆର୍ଥିକ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହେଇଛି । ଏହାର ପରିବର୍ତ୍ତନଶୀଳ ଶକ୍ତିକୁ ଚିହ୍ନଟ କରି, ଓଡିଶା ସରକାର ରାଜ୍ୟକୁ ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ ମାନୁଫାକ୍ଚରିଂ କେନ୍ଦ୍ର ଭାବେ ପ୍ରୋତ୍ସାହିତ କରୁଛନ୍ତି ।
ଏହି ସମୟରେ, ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର୍ (GCCs) ର ଦ୍ରୁତ ବିସ୍ତାର ଏବଂ ଫିନଟେକ୍ ଉନ୍ନତିଗୁଡିକ ଟାୟାର ୨ ସହରଗୁଡିକରେ ନୂତନ ସୁଯୋଗର ଦ୍ୱାରା ଖୋଲିଛି। ଏହି ବିକାଶଗୁଡିକ ପ୍ରତିଭାମାନଙ୍କୁ ଆକର୍ଷିତ କରୁଛି, ନିବେଶକୁ ପ୍ରୋତ୍ସାହିତ କରୁଛି, ଏବଂ ସ୍ଥାନୀୟ ଅଭିବୃଦ୍ଧିକୁ ତୀବ୍ର କରୁଛି, ଯାହା ଭାରତର ବିକାଶଶୀଳ ଟେକ୍ନୋଲୋଜି ପ୍ରଜ୍ଞାକୁ ଗଡ଼ୁଛି । ଏହି ସମ୍ଭାବନାଗୁଡିକୁ ସଠିକ ଢଙ୍ଗରେ ବୁଝି, ଓଡିଶା ସରକାର ଭୁବନେଶ୍ୱରକୁ ଭାରତର ପ୍ରମୁଖ GCC କେନ୍ଦ୍ର ଭାବେ ସ୍ଥାପିତ କରିବା ପାଇଁ ଯୋଜନାଗତ ପଦକ୍ଷେପ ଗ୍ରହଣ କରୁଛନ୍ତି, ଯାହା ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବ।