ନୂଆଦିଲ୍ଲୀ– ମନ କୀ ବାତରେ ସୁଭାଷ ଚନ୍ଦ୍ର ବୋଷଙ୍କ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଲକାତାରେ ଜାନୁଆରୀର ସମୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ତା’ର ଚରମସୀମାରେ ପହଞ୍ଚିଛି ଏଣେ ଭାରତରେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରୋଧ ମଧ୍ୟ ଶିଖର ଛୁଇଁଛି । ସେହି କାରଣରୁ ସହରର କୋଣ ଅନୁକୋଣରେ ପୋଲିସ ମୁତୟନ କରାଯାଇଛି । କୋଲକାତାର ମଝା-ମଝି ଗୋଟିଏ ଘରର ଚାରିପାଖେ ପୁଲିସ ମୁତୟନ ଅଧିକ କଡ଼ାକଡ଼ି ହୋଇଛି । ୟା’ଭିତରେ ଲମ୍ବା ବ୍ରାଉନ୍ କୋଟ୍, ପ୍ୟାଣ୍ଟ ଏବଂ କଳାଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଗୋଟିଏ ବଙ୍ଗଳାରୁ କାରରେ ବାହାରକୁ ବାହାରୁଛି । ଅନେକଗୁଡ଼ିଏ ମଜଭୁତ୍ ସୁରକ୍ଷାର ବଳୟକୁ ଭେଦକରି ସେ ଗୋମୋ ନାମକ ରେଳଷ୍ଟେସନରେ ପହଞ୍ଚିଯାଉଛି । ଏହି ଷ୍ଟେସନଟି ଏବେ ଝାଡ଼ଖଣ୍ଡରେ । ଏଠାରୁ ଗୋଟିଏ ଟ୍ରେନ୍ ଧରି ସେ ଆଗକୁ ବାହାରିଯାଉଛି । ଏହାପରେ ଆଫଗାନିସ୍ଥାନ ହୋଇ ସେ ଯାଇ ୟୁରୋପରେ ପହଞ୍ଚିଯାଉଛି ଏବଂ ଏସବୁ କଥା ଇଂରେଜ ଶାସନର ଅଭେଦ୍ୟ ସୁରକ୍ଷାବଳୟ ସତ୍ତ୍ୱେ ସମ୍ଭବ ହେଉଛି ।
ଏ କାହାଣୀ ଆପଣମାନଙ୍କୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଥିବ । ଆପଣଙ୍କୁ ଲାଗୁଥିବ ଯେ ଏତେ ସତ୍ସାହସ ଦେଖାଉଥିବା ଲୋକଟି କେଉଁ ଦେଶର ମାଟିରେ ଗଢ଼ା ହୋଇଥିବ! ବାସ୍ତବରେ ଏହି ବ୍ୟକ୍ତି ଜଣକ ଅନ୍ୟ କେହି ନ ଥିଲେ, ଆମ ଦେଶର ମହାନ ବିଭୂତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ଥିଲେ । ୨୩ ଜାନୁୟାରୀ, ତାଙ୍କର ଜନ୍ମଜୟନ୍ତୀକୁ ଆମେ ‘ପରାକ୍ରମ ଦିବସ’ ଭାବରେ ପାଳନ କରୁଛନ୍ତି । ତାଙ୍କର ଶୌର୍ଯ୍ୟ ସହିତ ଜଡ଼ିତ ଏହି ଗାଥାରେ ମଧ୍ୟ ଅନେକ ପରାକ୍ରମର ଝଲକ ଦେଖିବାକୁ ମିଳେ । କିଛିବର୍ଷ ପୂର୍ବେ ମୁଁ ତାଙ୍କର ସେହି ଘରକୁ ଯାଇଥିଲି ଯେଉଁଠାରୁ ସେ ଇଂରେଜମାନଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲେ । ତାଙ୍କର ସେହି କାର୍ ଆଜିବି ସେଇଠି ଅଛି । ତାହା ମୋ ପାଇଁ ଏକ ବିଶେଷ ଅନୁଭବ । ସୁବାଷ ବାବୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ସାହସ ତାଙ୍କ ସ୍ୱଭାବର ଅଂଶ ଥିଲା । ଖାଲି ସେତିକି ନୁହେଁ ସେ ଖୁବ୍ କୁଶଳ ପ୍ରଶାସକ ମଧ୍ୟ ଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ କୋଲକାତା କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିଲେ ତା’ପରେ ସେ ମେୟରର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଜଣେ ପ୍ରଶାସକ ଭାବରେ ମଧ୍ୟ ସେ ଅନେକ ବଡ଼ କାମ କରିଯାଇଛନ୍ତି । ପିଲାମାନଙ୍କ ପାଇଁ ସ୍କୁଲ, ଗରିବ ପିଲାମାନଙ୍କ ପାଇଁ ଦୁଗ୍ଧର ବ୍ୟବସ୍ଥା ଏବଂ ସ୍ୱଚ୍ଛତାକୁ ନେଇ ତାଙ୍କର ଅନେକ ପ୍ରୟାସ ଆଜି ବି ଲୋକଙ୍କୁ ମନେପଡେ । ନେତାଜୀ ସୁଭାଷଙ୍କ ରେଡ଼ିଓ ସହିତ ମଧ୍ୟ ବହୁତ ଗଭୀର ସମ୍ପର୍କ ଥିଲା । ସେ ଆଜାଦ ହିନ୍ଦ ରେଡ଼ିଓର ସ୍ଥାପନା କରିଥିଲେ; ଯେଉଁଥିରେ ତାଙ୍କ କଥା ଶୁଣିବାକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ । ତାଙ୍କ ସମ୍ବୋଧନ ଦ୍ୱାରା ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ଏକ ନୂତନ ଶକ୍ତି ମିଳୁଥିଲା । ଆଜାଦ ହିନ୍ଦ୍ ରେଡ଼ିଓରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁରେ ନିଉଜ ବୁଲେଟିନ୍ ସବୁ ପ୍ରସାରଣ କରାଯାଉଥିଲା । ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଣାମ ଜଣାଉଛି । ସାରାଦେଶର ଯୁବକମାନଙ୍କୁ ମୋର ପରାମର୍ଶ ଯେ ସେମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ପଢ଼ନ୍ତୁ ଏବଂ ତାଙ୍କ ଜୀବନରୁ ନିରନ୍ତର ପ୍ରେରଣା ନିଅନ୍ତୁ ।