
ଚମ୍ପୁଆ, ଗ୍ରାମାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ବର୍ଷ ମାଘ ମାସର ଆଗମନରେ ଏହି ମାଘ ( ମାଗେ ) ପର୍ବ ପାଳନ କରିଥାନ୍ତି। ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଗ୍ରାମର ସୁବିଧା ଅନୁଯାୟୀ ମାଘ ମାସର ସଂକ୍ରାନ୍ତି ପରଠାରୁ ଯେକୌଣସି ଦିନ ଏହି ପର୍ବ ପାଳନ କରାଯାଇଥାଏ। ମୁଖ୍ୟତ କେନ୍ଦୁଝର, ମୟୁରଭଞ୍ଜ ଓ ଝାରଖଣ୍ଡର ସିଂହଭୂମି ଜିଲ୍ଲା ଚଳଚଞ୍ଚଳ ହୋଇ ଉଠେ। ନିଆରା ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ। ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ଭାବରେ ଏହି ପୂଜା କରିଥାନ୍ତି। ପ୍ରଥମେ ଗାଁ ମୁଣ୍ଡରେ ଗ୍ରାମର ଦେହୁରୀ ମାଘ ପୂଜା କରିବା ପରେ ସମସ୍ତେ ନିଜ ନିଜ ଘର ମାନଙ୍କରେ ବଡ଼ ଠାକୁର ( ମାରାଙ୍ଗ ବଙ୍ଗା )ଙ୍କୁ ପୂଜା କରିବା ସହିତ ପୂର୍ବପୁରୁଷ ମାନଙ୍କ ନାମରେ ପୂଜା ଦେଇଥାନ୍ତି। ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ବର୍ଷ ଯାକର ରାଗ, ରୁଷା, ଅଭିମାନକୁ ଭୁଲି କାନ୍ଧକୁ କାନ୍ଧ ମିଶେଇ , ହାତକୁ ହାତ ଧରାଧରି ହୋଇ ପାରମ୍ପରିକ ଗୀତ ନାଚରେ ମଜି ଯାଇଥାନ୍ତି। ଏହିପରି ଭାବରେ ପ୍ରତିଟି ଆଦିବାସୀ ଗ୍ରାମରେ ଏହି ମାଗେ ପର୍ବ ବେଶ ଆନନ୍ଦ ଉଲ୍ଲାସର ସହିତ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ଏହି ଆଦିବାସୀ ମାଗେ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ।