ଜୟପୁର– ଜୟ ଜଗନ୍ନାଥ କଲେଜ୍ ର ବାର୍ଷିକ ଉତ୍ସବ ଜୟପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କଲେଜ ନିର୍ଦେଶକ ଗଣେଶ ଚନ୍ଦ୍ର ସାହୁ ଏବଂ ପ୍ରଦିପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଉତ୍ସବକୁ କଲେଜ୍ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ପାଳିତ କରଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଗୋପାଳ ହାଲଦାର ଯୋଗ ଦେଇ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ରଂଜନ କୁମାର ପ୍ରଧାନ, ମୂଖ୍ୟ ବକ୍ତା ଭାବେ ଶିକ୍ଷା ବିଭାଗର ଡ. ମନୋରଂଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ସନ୍ଧ୍ୟାରେ ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଜୟପୂର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇଥିଲେ। ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ସଂଗୀତ ଗାନ, ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। କଲେଜର ୩୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ ଏହି ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସର୍ବ ଶେଷରେ କଲେଜ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ସରୋଜ ମହାପାତ୍ର ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ବିମଳ କୁମାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ, କର୍ମଚାରୀ ଏବଂ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିଥିଲେ।