-
ଠିକା କମ୍ପାନୀର ଆନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟକରିବାରେ ଦକ୍ଷତା ଥିଲାକି ?
ଭୁୁବନେଶ୍ୱର– ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦରରେ ନିର୍ମାଣଧିନ ଲିଙ୍କ୍ ବିଲିଡିଂର ଛାତ ଭୁଷୁଡ଼ିବା ଘଟଣାରେ ମୃତ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ସାରା ଓଡ଼ିଶା ତାଙ୍କ ପରିବାର ବୋଲି ବାରମ୍ବାର କହି ବୁଲୁଥିବା ବେଳେ ମୃତକ ଏବଂ ଦୁର୍ଘଟଣାରେ ଗଭୀର ଆଘାତପ୍ରାପ୍ତ ନବକିଶୋର ସ୍ୱାଇଁ ଏମାନେ ମୁଖ୍ୟ ମନ୍ତ୍ରୀଙ୍କ ପରିବାରରେ ନା ପରିବାର ବାହାରେ ଏ ପ୍ରଶ୍ନ ପଚାରିଛନ୍ତି । ଯଦି ଶ୍ରୀ ଗୁରୁ ଏବଂ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ତାହାଲେ ରାଜ୍ୟ ସରକାର ଅନୁକମ୍ପାମୁଳକ ରାଶି ପ୍ରଦାନ କରିବା ଏବଂ ଆଘାତପ୍ରାପ୍ତ ସ୍ୱାଇଁଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିବାରେ କାହିଁକି ସମର୍ଥ ହେଲେନାହିଁ ।
ଯେଉଁ କନଷ୍ଟ୍ରକସନ କମ୍ପାନୀଙ୍କୁ କେନ୍ଦ୍ର ସରକାରଙ୍କ ସିପିଡବ୍ଲୁଡି ମାଧ୍ୟମରେ ଠିକା ଦିଆଯାଇଥିଲା ସେ କମ୍ପାନୀର କୌଣସିପ୍ରକାରର ଅନ୍ତର୍ଜାତୀୟ ବିମାନ ବନ୍ଦରେ କାର୍ଯ୍ୟକରିବାରେ ପୂର୍ବରୁ ଦକ୍ଷତା ଥିଲାକି? ଏଭଳି କୌଣସି ପ୍ରମାଣ ପତ୍ର ଟେଣ୍ଡରରେ ଅଂଶଗ୍ରହଣ କଲାବେଳେ ଠିକା କମ୍ପାନୀ ଦ୍ୱାରା ଟେକ୍ନିକାଲ ବିଡ୍ପାଟରେ ଦାଖଲ କରିଥିଲେ କି? ଏଭଳି ଏକ ବଡ଼ ପ୍ରକଳ୍ପରେ କିଭଳି ଭାବରେ ନିମ୍ନମାନର କାମ ହେଉଥିଲା ଏବଂ ବାଉଁଶ ବହ୍ଲା ମାଧ୍ୟମରେ କାମ ହେଉଥିଲା କେଉଁ ନିର୍ଦ୍ଦିଷ୍ଟ ନେତାଙ୍କ ନିର୍ଦ୍ଦେଶରେ ସିପିଡବ୍ଲୁଡିର ଇଂଜିନିୟରମାନେ ଏବଂ ଏୟାରପୋର୍ଟର ବିଭାଗୀୟ ଅଧିକାରୀ ଏଭଳି ନିମ୍ନମାନର କାମକୁ ବନ୍ଦକରିବା ପରିବର୍ତେ ଆଖି ବୁଜିଦେଇଥିଲେ ବୋଲି ସେ କହିଛନ୍ତି ।
ମୃତକଙ୍କ ପରିବାରକୁ ରାଜ୍ୟ ଓ କେନ୍ଦ୍ର ସରକାର ଅତିଶୀଘ୍ର ଅନୁକମ୍ପାମୁଳକ ରାଶି ପ୍ରଦାନ କରିବା ସହିତ ଆହତ ନବକିଶୋର ସ୍ୱାଇଁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।