
ସାନଖେମୁଣ୍ଡି: ସାନଖେମୁଣ୍ଡି ଅନ୍ତର୍ଗତ ପାଟପୁର ବୁନ୍ଧେଶ୍ୱର ମନ୍ଦିର ନିକଟ ପୋଚକା ନାଳ ଉପରେ ଅଟକିଲା ମାଲବୋଝଇ ଟ୍ରକ। ରବିବାର ସକାଳେ ଏହି ଅସ୍ଥାୟୀ ସେତୁ ଉପରେ ତାମିଲନାଡୁରୁ ଆସିଥିବା ଏକ ଦଶ ଚକିଆ ମାଲବୋଝେଇ ଟ୍ରକ ଅଟକିଥିଲା। ଟ୍ରକ ଅଟକିବା ହେତୁ ଯାତାୟତ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ ଜନସାଧାରଣ। ଏହି ଅସ୍ଥାୟୀ ପୋଲ ଦେଇ ତାମିଲନାଡୁରୁ ଝାଡ଼ଖଣ୍ଡ ଯାଉଥିବା କେତେକ ଟ୍ରକ ସହ ଅନ୍ୟ ଖଲିଙ୍ଗୀ ଯାଉଥିବା କେତେକ ଲୋକ ଅଟକି ରହିଥିଲା। ପ୍ରାୟ ଦଶ ଘଣ୍ଟା ପରେ ଟ୍ରକ ହଟାଇବାକୁ ଉଦ୍ୟମ କରାଯାଇଥିଲା। ଡ୍ରାଇଭର କହିବା ଅନୁସାରେ ସଠିକ ଭାବେ କାମ ହୋଇନଥିବାରୁ ଗାଡିର ଗିଅର ବକ୍ସ ଭାଙ୍ଗି ଯାଇଥିଲା ତାହା ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହୋଇ ଗୀୟର ବକ୍ସ ଅକାମି ହୋଇଯାଇଥିଲା। ଦିଗପହଣ୍ଡି- ଆସିକାକୁ ସଂଯୋଗ ହୋଇଥିବା ପାଟପୁର ବୁନ୍ଧେଶ୍ୱର ମନ୍ଦିର ନିକଟ ପୋଚକା ନାଳ ଉପର ମୁଣ୍ଡରେ ଲଗାତାର ବର୍ଷା ହେବା କାରଣରୁ ସେତୁ ଭାଙ୍ଗି ଯାଇଥିଲା। ଫଳରେ ଦିଗପହଣ୍ଡି-ଆସିକା ରାଜ୍ୟ ଓ ଜିଲ୍ଲାକୁ ଏହି ପଥରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ସେତୁ ଭାଙ୍ଗିବା ପରେ ବ୍ରହ୍ମପୁର ଜିଲ୍ଲାପାଳ ହଠାତ ପହଞ୍ଚି ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ୧୬ ଘଣ୍ଟା ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ତାଗିତ କରିଥିଲେ। ସେ ସବୁକୁ ବିଭାଗୀୟ କତ୍ତୃପକ୍ଷ ଓ ଠିକାଦାର ନିଜ ମନ ମୁତାବକ ସାତ ଦିନ ପରେ ଅସ୍ଥାୟୀ ମେଟାଲ, ମୋରମ ପକାଇ ଅସ୍ଥାୟୀ ସେତୁ ନିର୍ମାଣ କରିଥିଲେ। ପାଟପୁର, ରାଧାଦେଇପୁର, ଓସ୍ତା,ଖଲିଙ୍ଗୀ, ଆଡପଡା, ଏରେଣ୍ଡ୍ରା ରାସ୍ତା ସଂକୀର୍ଣ୍ଣ ଥିବାରୁ ଭାରି ଗାଡି ଚଳାଚଳ ଯୋଗୁଁ ଧୂଳିଧୁସର ଉଡିବା ସହ ରାସ୍ତା ଜାମ ରହୁଛି। ଏହା ଫଳରେ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ସ୍ଥାୟୀ ସେତୁ ନିର୍ମାଣ ପାଇଁ ଦାବି କରିଛନ୍ତି।
ରିପୋର୍ଟ: ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ।