ସମ୍ବଲପୁର– ସମ୍ବଲପୁର ଜିଲ୍ଲାର କଂଟାପାଲିରେ ହାଇୱା ଚଢ଼ାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଜଡ଼ିତ ଅଭିଯୁକ୍ତ ହାଇୱା ଡ୍ରାଇଭର ପ୍ରସନ୍ନ କୁମାର ଜେନାମଣି(୩୦)କୁ ତିନି ଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ଥାନା ପୋଲିସ । ପ୍ରସନ୍ନ ବାରମ୍ବାର ବୟାନ ବଦଳାଉଥିବା ବେଳେ, ତା ଠାରୁ ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୁଲିସ । ତେବେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିବା ପରେ ଆଜି ଅଭିଯୁକ୍ତକୁ ସମ୍ବଲପୁର ମଣ୍ଡଳ କାରାଗାରରୁ ରିମାଣ୍ଡରେ ନେଇଛି ବୁର୍ଲା ପୋଲିସ । ସେ ବାରମ୍ବାର ବୟାନ ବଦଳାଉଥିବାରୁ ତା ନିକଟରୁ ତଥ୍ୟ ଆଦାୟ ପାଇଁ ପୋଲିସ ତାକୁ ଜେରା କରୁଛି ।
ଗତରାତିରେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟଚାଲାଣ କରାଯାଇଥିଲା । ଡ୍ରାଇଭର ଜଣକ କ’ଣ ପାଇଁ ଏପରି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇଲା । ତାର କେହି ସହଯୋଗୀ ଅଛି ନା ସେ ଏକାକୀ ଏହି କାଣ୍ଡ ଭିଆଇଛି । ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ନେଇଥିଲା କି ଡ୍ରାଇଭର ? ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ ଟକରା ଟକରି ହତ୍ୟା ପଛର କାରଣ ନୁହେଁ ତ ? କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି । ଘଟଣା ସମୟରେ ଡ୍ରାଇଭରର ମାନସିକ ସ୍ଥିତି କିପରି ଥିଲା । ଏ ତମାମ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ୩ ଦିନିଆ ରିମାଣ୍ଡ ବେଳେ ଅଭିଯୁକ୍ତ ପ୍ରସନ୍ନକୁ ଏନେଇ ଅଧିକ ପଚରା ଉଚରା କରିବ ପୋଲିସ । ଅଭିଯୁକ୍ତର ଘର ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବଡନାଳି ଗ୍ରାମରେ ।
ପ୍ରକାଶ ଥାଉକି, ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଂଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାର୍ କୁ ହାଇୱା ଧକ୍କା ଦେବାରୁ ୨ ବିଜେପି ନେତାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ହେଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ (୫୭) ଓ କର୍ଡୋଲା ପଂଚାୟତର ପୂର୍ବତନ ସରପଂଚ ମୁରଲୀଧର ଛୁରିଆ (୫୮) । ତେବେ ତାହା ଦୁର୍ଘଟଣା ନୁହେଁ, ବରଂ ହାଇୱା ଡ୍ରାଇଭର ଜାଣିଶୁଣି କାର୍ କୁ ଧକ୍କା ଦେଇଥବା ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ।
Related Stories
January 8, 2025
January 8, 2025
January 8, 2025