![](https://indokalingtimes.com/wp-content/uploads/2025/01/WhatsApp-Image-2025-01-05-at-17.36.42-1024x682.jpeg)
-
ଉଚ୍ଚ ଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନର ରାସ୍ତା ବାହାର କରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ
-
ରାଜ୍ୟରେ ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ଦାୟିତ୍ୱ ନିଅନ୍ତୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ
-
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଥକବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
-
ଓଡ଼ିଶାରେ ହାଭାର୍ଡ, ଏମଆଇଟି ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ପରିସଂସ୍ଥାନ ସୃଷ୍ଟି କରିବା ଆମର ଲକ୍ଷ୍ୟ
-
ସମ୍ବଲପୁରରେ ଆଇଆଇଏମ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର ଚିପିଲିମା କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ଅଛି
-
ସମ୍ବଲପୁରକୁ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଦାୟିତ୍ୱ ନେବା
-
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏକ ଶୈକ୍ଷିକ, ଗବେଷଣା ଏବଂ ନବସୃଜନର କେନ୍ଦ୍ରବିନ୍ଦୁ
-
ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର, ପ୍ରାୟ ୧୧ ବର୍ଷ ପରେ ୨୦୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବ । ୨୦୪୭ ସୁଦ୍ଧା ଆଉ ପ୍ରାୟ ୨୨ ବର୍ଷ ପରେ ଭାରତ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ । ଏହି ଦୁଇ ଦଶନ୍ଧି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ କେବଳ ଉଚ୍ଚ ଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ରାଜ୍ୟରେ ସାମାଜିକ, ମୌଳିକ ସମସ୍ୟା ତଥା ପାନୀୟଜଳ, ସ୍ୱାସ୍ଥ୍ୟ, କ୍ୟାନସରର ମୁକାବିଲା, ଚାଷୀ ସମସ୍ୟା ଏବଂ ପରିବେଶ ସୁରକ୍ଷାର ସମାଧାନ ବାହାର କରିବା ଦିଗରେ ମଧ୍ୟ ଦାୟିତ୍ୱ ନେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଦେଶକୁ ସ୍ୱାଧୀନତା ଦେବାରେ ହେଉ କିମ୍ବା ଇଂରେଜମାନଙ୍କ ସହ ସାଲିସ ବୀହିନ ସଂଘର୍ଷ କରିବାରେ, ସମ୍ବଲପୁର ସବୁବେଳେ ନିଜ ବୀରତ୍ୱ ଓ ପରାକ୍ରମ ଦେଖାଇଆସିଛି । ଦେଶକୁ ସ୍ୱତନ୍ତ୍ରତା ଦେବାରେ ସମ୍ବଲପୁର ସମେତ ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ବୀର ସୁରେନ୍ଦ୍ର ସାଏ, ଧ୍ରୁବ ସାଏ ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆଙ୍କ ଅବଦାନ ଅତୁଳନୀୟ । ସମ୍ବଲପୁରର ହୀରାକୁଦ ନଦୀବନ୍ଧ ଯୋଜନା ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ସମ୍ବଲପୁର ଗୋଟିଏ ସାରସ୍ୱତ କ୍ଷେତ୍ର । ସମ୍ବଲପୁରରେ ଜାତୀୟ ସ୍ତରର ଆଇଆଇଏମ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର ଚିପିଲିମା କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ମଧ୍ୟ ଅଛି । ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଉଚିତ୍ । ଓଡ଼ିଶାରେ ହାଭାର୍ଡ, ଏମଆଇଟି ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ପରିସଂସ୍ଥାନ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏକ ଶୈକ୍ଷିକ, ଗବେଷଣା ଏବଂ ନବସୃଜନର କେନ୍ଦ୍ରବିନ୍ଦୁ । ଏହାର ଚରିତ୍ର ନିରୂପଣ କରିବାର ସମୟ ଆସିଛି । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ କରିବା କେବଳ କହିଲେ ହେବ ନାହିଁ ବରଂ ଏଥିପାଇଁ ଦାୟିତ୍ୱ ନେବା ପାଇଁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ହେବ । ଭାରତୀୟ ଜ୍ଞାନ ପରମ୍ପରାରେ ଆଗକୁ ବଢିବାକୁ ହେବ । ସମ୍ବଲପୁର ଅଞ୍ଚଳରେ ଶିକ୍ଷାର ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ଶିକ୍ଷା ଦେବାକୁ ପଡ଼ିବ ।
ସମ୍ବଲପୁର ବିଶ୍ଵବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ପରମ୍ପରାରେ ଅନ୍ୟତମ ପରିଚୟ ତିଆରି କରିଛି । ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଗଙ୍ଗାଧର ଜାତୀୟ କବିତା ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି ତଥା ସୁସାହିତ୍ୟିକା ଡ଼. ପ୍ରତିଭା ଶତପଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନ ପରିସରରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଓଡ଼ିଶାର ଭାଷା ସାହିତ୍ୟକୁ ସୁସମୃଦ୍ଧ କରିବା ସହ ଜାତୀୟ ସ୍ତରରେ ଆମ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଏହି ମହାନ ବରପୂତ୍ରଙ୍କ ଯୋଗଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।