-
କ୍ଷତିଗ୍ରସ୍ତ ଘର, ଦୋକାନ , କ୍ଲବ୍ ଓ ଗୁହାଳ ପାଇଁ ମିଳିବ ସହାୟତା
ଭୁବନେଶ୍ୱର – କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପୁନର୍ବିନ୍ୟାସ କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ୍ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ତଦନୁଯାୟୀ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପେ୍ଲକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ୍ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏସସିବି ପୁଃନବିନ୍ୟାସ ହେତୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ଥଇଥାନ ଓ କ୍ଷତିପୂରଣ ବାବଦରେ ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ , ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ଦିଆଯିବ । ଦୁଇଟି କିସ୍ତିରେ ପ୍ରତି ପରିବାରକୁ ମିଳିବ ୧ଲକ୍ଷ ଲେଖାଏଁ ସହାୟତା ମିଳିବ । ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ ହଜାର ଟଙ୍କା , ଉଠା ଦୋକାନୀଙ୍କୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତାଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ , ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ ହଜାର , ସରକାରୀ କ୍ୱାଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁ ମିଳିବ ସହାୟତା । ନୂଆ କ୍ୱାଟର୍ସ ମିଳିବା ଯାଏଁ ଘର ଭଡା ସହ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୫ହଜାର ଟଙ୍କା , ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ୭୫୦୦ , ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୦ ହଜାର ଓ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।
ଏହା ବ୍ୟତୀତ ଅନୁଷ୍ଠାନ ପାଇଁ ଘର ଭଡା ବ୍ୟବସ୍ଥା ଲାଗି ଆରଡିସିଙ୍କ ନେତୃତ୍ୱରେ ଗଠିତ କମିଟି ବଜାର ଦର ଅନୁଯାୟୀ ଗ୍ରହଣ କରାଯିବ । ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଏବଂ ଜରୁରୀ ବ୍ୟବସ୍ଥା ପାଇଁ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।
ଅନଧିକୃତ ବାସଗୃହ ପାଇଁ କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଅଂଚଳରେ ପ୍ରତି ପରିବାର ପାଇଁ ୧୫ ଇନଟୁ ୧୫ ପ୍ଲଟ୍ ରେ ଅସ୍ଥାୟୀ ଭାବରେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ମହାନଗର ନିଗମ ଦ୍ୱାରା ସେହି ଅଂଚଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହା ବ୍ୟତୀତ ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ୮ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ।
ସେହିପରି ମହାନଗର ନିଗମରେ ରେଜେଷ୍ଟ୍ରିଭୁକ୍ତ ହୋଇଥିବା ଦୋକାନୀମାନଙ୍କୁ ଓ ମାଛ ବ୍ୟବସାୟୀମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ସେମାନଙ୍କୁ ସିଏସି ସୁକ୍ୟୁରିଟି ଡିପୋଜିଟ୍ ଫେରାଥବା ସହ ଭେଣ୍ଡିଂ ଜୋନ୍ ରେ ସ୍ଥାନ ଯୋଗାଇ ଦିଆଯିବ ।
ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଳ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତି ଅଧିଗ୍ରହଣ ଆଲୋଚନା ଭିତିରେ କରାଯିବ ସେଥିପାଇଁ କେନ୍ଦ୍ରାଂଚଳ ଆରଡିସିଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତନ ସମ୍ପର୍କରେ ନିଷ୍ପତି ନେଇପାରିବେ ।
ଥଇଥାନ ପୁନର୍ବାସ ପ୍ୟାକେଜ୍ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ ।