ପିପିଲି- ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥର ପିପିଲି ଥାନା ଅନ୍ତର୍ଗତ ତେଇଶିମାଇଲି ଛକ ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସମ୍ପୃକ୍ତ ଶିକ୍ଷୟିତ୍ରୀ ଦ୍ୱୟ ହେଲେ ସ୍ନେହଲତା ସାହୁ (୩୫) ଓ ଶୁଭଲକ୍ଷ୍ମୀ ପରିଡ଼ା (୪୦) । ଦୁହେଁ ଦାଣ୍ଡମୁକୁନ୍ଦପୁର ସ୍ଥିତ ପୀତବାସ ୟୁଜିଏମଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏପରିକି ଶୁଭଲକ୍ଷ୍ମୀ ଓ ସ୍ନେହଲତା ସମ୍ପର୍କୀୟ ପିଉସୀ ଝିଆରୀ ଥିଲେ । ଆଜି ଏହି ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ଅବିଭାବକ ମହଲ ତଥା ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଆଜି ଶନିବାର ସକାଳୁଆ ସ୍କୁଲ୍ ଥିବାରୁ ଉଭୟ ଏକାଠି ସ୍କୁଟି ଯୋଗେ ଆସୁଥିଲେ । ତେଇଶିମାଇଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଡ଼ାଲା ଅଟୋ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ଓ ପିପିଲି ପୋଲିସ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ମେଡ଼ିକାଲ ଏବଂ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ପିପିଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଅଟୋ ଡ଼୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଥିବା ନେଇ ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ ହୋଇଥିବା ବେଳେ ସେମାନେ ପିପିଲିରେ ରହୁଥିଲେ । ସେଠାରୁ ସ୍କୁଟି ଯୋଗେ ପ୍ରତ୍ୟେହ ଉଭୟ ସାଙ୍ଗ ହୋଇ ଯିବା ଆସିବା କରୁଥିଲେ ।