ମୁମ୍ବାଇ– ମହାରାଷ୍ଟ୍ର ଏଂଟି ଟେରୋରିଷ୍ଟ ସ୍କ୍ୱାଡ୍ (ଏଟିଏସ) ଏବଂ ଏମଆଇଡିସି ପୋଲିସ ଆକୋଲା ଜିଲ୍ଲାର ଏମଆଇଡିସି ଅଂଚଳରେ ଚଢ଼ଉ କରି ଦୁଇ ବାଙ୍ଗଲାଦେଶୀ ନାଗରିକଙ୍କୁ ଗିରଫ କରିଛି । ସମ୍ପୃକ୍ତ ଦୁଇ ଜଣ ଏମଆଇଡିସି ଅଂଚଳରେ ଏକ ନିର୍ମାଣାଧିନ କୋଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏଟିଏସ ଟିମ୍ ଏବଂ ଏମଆଇଡିସି ପୋଲିସ ଟିମ୍ ମିଳିତ ଭାବେ ମାମଲାର ଛାନଭିନ୍ କରୁଛି ।
ଏମଆଇଡିସି ଥାନା ପୋଲିସ ଇନ୍ସପେକ୍ଟର ବୈଶାଳୀ ମୁଲେ ଶନିବାର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏମଆଇଡିସି ଅଂଚଳରେ ଅବୈଧ ଭାବେ ରହୁଥିବା ଏହି ବାଙ୍ଗଲାଦେଶୀ ନାଗରିକଙ୍କ ବିଷୟରେ ଏଟିଏସ ଟିମ୍ କୁ ସୂଚନା ମିଳିଥିଲା । ଏହାକୁ ଭିତି କରି ଏଟିଏସ୍ ଟିମ୍ ଗତ କିଛି ଦିନ ହେଲା ଏଠାରେ ରହୁଥିବା ବାଙ୍ଗଲାଦେଶୀଙ୍କ ବାବଦରେ ତଥ୍ୟ ଏକାଠି କରୁଥିଲା । ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ଏମଆଇଡିସି ଅଂଚଳରେ ଏଟିଏସ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଚଢ଼ଉ କରି ଦୁଇ ବାଙ୍ଗଲାଦେଶୀ ନାଗରିକଙ୍କୁ ହେପାଜତରେ ନେଇଥିଲେ । ଏହାପରେ ଦୁହିଁଙ୍କୁ ଏମଆଇଡିସି ଥାନାକୁ ଅଣାଯାଇ ସେମାନଙ୍କର କାଗଜପତ୍ର ଯାଂଚ୍ କରାଯାଇଥିଲା । ହେଲେ ତାହା ନକଲି ଥିବା ଜଣାପଡିବା ପରେ ଦୁହିଁଙ୍କୁ ଗିରଫ କରାଯାଇଛି ।