ପୁରୀ– ଚଳିତ ମାସ ୨୮ ତାରିଖରେ ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ବ୍ୟାରିକେଡ୍ ଓ ର୍ୟାମ୍ପ ରେ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ବଡ଼ ଦିନ ଛୁଟି, ନୂଆବର୍ଷ ଓ ଗଙ୍ଗା ସାଗର ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା କରିବା ନିଷ୍ପତିରୁ ଓହରିଛି ପ୍ରଶାସନ । ଏହା ଜାନୁଆରୀ ୨୦ ପରେ ପ୍ରାୟତଃ ୨୨ ତାରିଖ ବେଳକୁ କରାଯିବାକୁ ପରବର୍ତୀ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ୨୮ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ କରିବାକୁ ନିଷ୍ପତି ହୋଇଥିଲା । ମାତ୍ର ୨୮ରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବ । ତେଣୁ ଏହି ସମୟରେ ପରୀକ୍ଷାମୂଳକ ନୂଆ ଦର୍ଶନ ବ୍ୟବସ୍ଥା କରିବା ଠିକ୍ ହେବନି । ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ବିଧି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଗୁରୁବାର ଏକ ବୈଠକ ହୋଇଥିଲା । ଚଳିତ ମାସ ୧୮ରୁ ଜାନୁଆରି ୨୦ ତାରିଖ ଗଙ୍ଗା ସ୍ନାନ ସରିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା ନକରି ପରେ କରାଯିବାକୁ ନିଷ୍ପତି ହୋଇଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଯେଉଁ ଷ୍ଟ୍ରକଚର୍ ହେବା କଥା ହୋଇସାରିଛି । ଆସନ୍ତା ମାସ ୨୨ ତାରିଖ ବେଳକୁ ନୂଆ ଦର୍ଶନ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଭିଡ଼ ସମୟରେ ଯେପରି ସମସ୍ୟା ନହେବ ଓ ପରେ ଯେପରି ଗୋଟିଏ ବ୍ୟବସ୍ଥା ୩୬୫ ଦିନ ପର୍ଯ୍ୟନ୍ତ ଚାଲିବ ତାହାକୁ ଲକ୍ଷ୍ୟ ରଖାଯାଇଛି ।
ସୂଚନାଥାଉକି, ଶ୍ରୀମନ୍ଦିର ନାଟମଣ୍ଡପରେ ସରକାର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ନିମନ୍ତେ ୬ ଥାକିଆ କାଠ ବ୍ୟାରିକେଡ୍ ଓ ର୍ୟାମ୍ପ ବ୍ୟବସ୍ଥା କରାଯିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ୬ଟି ଧାଡ଼ି ମଧ୍ୟରୁ ୩ଟି ଦିବ୍ୟାଙ୍ଗ, ବୟସ୍କ, ମହିଳା ଓ ଶିଶୁଙ୍କ ନିମନ୍ତେ ସଂରକ୍ଷିତ ରଖାଯିବ । ବାକି ୩ଟିରେ ସାଧାରଣ ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବାକୁ ଯିବେ । ସାତପାହାଚ ଦେଇ ଶ୍ରଦ୍ଧାଳୁମାନେ ନାଟମଣ୍ଡପରେ ପଶିବା ପରେ ବ୍ୟାରିକେଡ୍ ଭିତର ଦେଇ ଠାକୁର ଦର୍ଶନ କରିବେ । ପରେ ଗାରଦ ଦ୍ୱାର ଓ ଘଂଟିଦ୍ୱାରରେ ପ୍ରସ୍ଥାନ କରିବେ ।