ପୁରୀ- ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଭିତରେ ଆସୁଥିବା କୋଠାଗୁଡିକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯାଉଛି । କାକୁଡିଖାଇ ଛକଠାରୁ ବାଲିସାହି ପଟକୁ ରାସ୍ତାର ଦୋକାନଗୃହ, ଦକ୍ଷିଣପାଶ୍ୱର୍ ମଠ ସମ୍ମୁଖରେ ଥିବା ଦୋକାନଗୃହ, ମଣିକର୍ଣ୍ଣିକା ସାହି ଛକରେ ଥିବା ତିନିମହଲା କୋଠା, ପଞ୍ଜାବୀ ମଠ ପାଖରେ ଥିବା କୋଠା, ଲୋକନାଥ ରୋଡ ଗାଣ୍ଡୁଆଚଉରା ଛକରେ ଥିବା ଦୁଇଟି ଘରୋଇ କୋଠା, ପଶ୍ଚିମଦ୍ୱାର ସମ୍ମୁଖରେ ଥିବା କୋଠାଗୁଡିକୁ ଭଙ୍ଗାଯାଇଛି । ଭଙ୍ଗାଯାଉଥିବା କୋଠାର ଅବଶିଷ୍ଟାଶଂକୁ ଟ୍ରାକ୍ଟର ଯାଗେ ବୁହାଯାଉଛି । ଶୁକ୍ରବାର ଦିନ ପଶ୍ଚିମଦ୍ୱାରରେ ପୂର୍ବରୁ ଭଙ୍ଗାଯାଇଥିବା କୋଠାର ପାଖ ଅଂଶଗୁଡିକୁ ଭଙ୍ଗାଯାଉଛି । ମେଘନାଦ ପାଚେରୀ ଠାରୁ ୭୫ମିଟର ଦୂରତ୍ୱ ପର୍ଯ୍ୟନ୍ତ ସମସ୍ତ କୋଠାଗୁଡିକୁ ପର୍ଯ୍ୟାୟ କ୍ରମେ ଭଙ୍ଗାଯାଉଛି । କେତେକ କୋଠାର ମାଲିକ ଆଇନଗତ ଆଶ୍ରୟ ନେଇଥିବାରୁ ସେଗୁଡିକ ପରେ ଭଙ୍ଗାଯିବ ବୋଲି ସୂଚନା ମିଳିଛି । ୭୫ ମିଟର ପର୍ଯ୍ୟନ୍ତ ଖାଲି ହେବ ପରେ ଚତୁଃପାଶ୍ୱର୍ ନକ୍ସା ଅନୁସାରେ ସୌନ୍ଦର୍ଯ୍ୟକରଣ କରାଯିବ । ଗତକାଲି ସନ୍ଧ୍ୟାରେ ଜିଳ୍ଲାପାଳ ବଲବନ୍ତ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ରହି ଭଙ୍ଗାକାର୍ଯ୍ୟର ଅଗ୍ରଗତି ସଂପର୍କରେ ଦେଖିଥିଲେ ।