ଜୟପୁର– ପାହାଡିଆ ଗାଁ କୁ ପହଂଚିନି ବିକାଶ । ଯଦ୍ୱାରା ବଦଳି ପାରିଲାନି ପାହାଡିଆ ଗାଁ ର ନକ୍ସା । ଆଜିବି ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ । ଗାଁ କୁ ରାସ୍ତା ନଥିବାରୁ ଜୀବିକା ପାଇଁ ଜଙ୍ଗଲୀ ପାହାଡିଆ ପାଦଚଲା ରାସ୍ତା ହିଁ ଏମାନଙ୍କ ଜୀବନ ରେଖା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଡ଼ାଗୁଡା ପଂଚାୟତର ଏଭଳି ଦୁଇ ଗାଁ ସିଉନାପଦର ଓ କର୍ତାସ ଗ୍ରାମ । ପ୍ରକୃତିର କୋଳରେ ବିତୁଛି ଅଭିସପ୍ତ ଜୀବନ । ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି .. ନା ପାନୀୟ ଜଳର ସୁବିଧା ହେଇଛି । ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ । ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତିନିଟି ପାହାଡ ଦେଇ ସେସବୁକୁ ଅନ୍ୟ ଗାଁ ରେ ବିକ୍ରି କରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ । କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ ସୁଆ ଓ ପନିପରିବା ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି । ଗାଁ ରେ ବିଦ୍ୟୁତ ସେବା ୮ ମାସ ହେବ ବନ୍ଦ । ଦୁଇ ଗାଁ ରେ ସନ୍ଧ୍ୟା ହେବା କ୍ଷଣି ଅନ୍ଧାର ରାଜୁତି କରେ । ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳ ରେ ଅପହଂଚ । ଏଭଳି ଦୁଇ ପାହାଡିଆ ଗାଁ ହେଉଛି ବୋରିଗୁମ୍ମା ବ୍ଲକର ସିଉନା ପଦର ଓ କର୍ତାସ । ପଂଚାୟତ ସଦର ମହକୁମା ଠାରୁ ୧୨ କି.ମି. ଦୂରରେ ଅବସ୍ଥିତ ଏହି ଗାଁ । ଗାଁ କୁ ଯିବାକୁ ହେଲେ ଭାଲୁ ମହଲ ଠାରୁ ୫ କିଲୋମିଟର ଘଂଚ ଜଙ୍ଗଲ ମଝିରେ ଅଙ୍କାବଙ୍କା ସଂକୀନ୍ନ ପଥରିଆ ପାଦଚଲା ରାସ୍ତାରେ ତିନିଟି ପାହାଡ଼ ଅତିକ୍ରମ କରିବା ପରେ ପଡେ ଏହି ଦୁଇ ଗାଁ ସିଉନା ପଦର ଓ କର୍ତାସ । ସ୍ୱାଧିନତାର ୭୭ ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇପାରିନି । ସିଉନାପଦର ଗାଁରେ ୩୦ ପରିବାର ୧୫୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଥିବା ବେଳେ ସେହି ଗାଁ ପାଖକୁ ଲାଗି ରହିଛି ସିଙ୍ଗାରି ନଦୀ । ନଦୀ ସେପଟ ହେଉଛି କର୍ତାସ ଗାଁ । ଏହି ଗାଁ ରେ ୨୦ରୁ ଉର୍ଦ୍ଧ ପରିବାର ରୁହନ୍ତି । ଦୁଇଟି ଯାକ ଗାଁ ରେ କନ୍ଧ ସମ୍ପ୍ରଦାୟର ୫୦ ପରିବାର ରୁହନ୍ତି । ବର୍ଷ ବର୍ଷ ଧରି ଗ୍ରାମକୁ ଖଣ୍ଡିଏ ରାସ୍ତା ବି ସଂଯୋଗ ହୋଇପାରୁନି । ପାଦଚଲା ସଂକୀର୍ଣ୍ଣ ଜଙ୍ଗଲ ପଥରିଆ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ । ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପଥରିଆ ରାସ୍ତା ରେ ୫ କି.ମି. ଯିବାକୁ ପଡେ । ପ୍ରତି ମାସରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ ପଂଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରନ୍ତି । ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଉଚିତ ବ୍ୟବସ୍ଥା ହୋଇନି । ବହୁ ବର୍ଷତଳର ଏକ ନଳକୂପ ରହିଛି ସେଥିରୁ ପାଣି ବାହାରୁନି । ଫଳରେ ଗାଁ ନିକଟରେ ଥିବା ସିଙ୍ଗାରି ନଦୀର ପାଣି ଏମାନଙ୍କ ଭରସା । ଦୁଇ ଗାଁ ରେ କୌଣସି ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିନାହିଁ । ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ନାହିଁ କି ସ୍କୁଲ ନାହିଁ । ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ହୋଇଛନ୍ତି । ପିଲାମାନେ ବହି ଧରିବା ବୟସରେ ଗାଈ ଗୋରୁ ଚରାଳୀ ପାଲଟିଛନ୍ତି । ଶିକ୍ଷାର ଅଭାବ କାରଣରୁ ଏମାନଙ୍କ ଭାଷା ଗତ ସମସ୍ୟା ସବୁ ବେଳେ ଉପୁଜେ । ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଅସିପାରୁନି । ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ୫ କି.ମି. ପାହାଡିଆ ରାସ୍ତାରେ କାନ୍ଧରେ ବୋହି ଭାଲୁମହାଲ କିମ୍ବା ଲାଠିକଟାର ଆଣିଲେ ସେଠାରୁ ଆମ୍ବୁଲାନ୍ସରେ କାଠରଗଡା ମେଡ଼ିକାଲ ଯାଆନ୍ତି । ସରକାରୀ ସ୍ତରରେ କାମ ନପାଇ ଜଙ୍ଗଲ ଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସେଥିରେ ଜୀବିକା ନିର୍ବାହ କରନ୍ତି ଏମାନେ । ଗତ ବର୍ଷ ଏହି ଦୁଇ ଗାଁ କୁ ବିଦ୍ୟୁତ ସଂଯୋଗ ହୋଇଥିଲା, କିନ୍ତୁଏକ ମାସ ମଧ୍ୟରେ ବିଦ୍ୟୁତ ସେବା ବନ୍ଦ ହୋଇଗଲା ।୧୦ ମାସ ହେବ ଦୁଇ ଗାଁ ପୁରା ଅନ୍ଧାରରେ ରହିଛି । ଗାଁ ରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା, ଭାଲୁ ମହଲ ଠାରୁ ସିଉନାପଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ବନ୍ଦ ହୋଇ ପଡ଼ିଥିବା ପାଣିପାଇପରେ ପାନୀୟ ଜଳର ଯୋଗାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ଏହି ଦୁଇ ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଂଚିପାରୁନି । କିଛି ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ ବି ଘର ନିର୍ମାଣ ପାଇଁ ବାଲି, ରଡ଼ ଓ ସିମେଂଟ ନେଇ ପାରୁ ନାହାନ୍ତି ଏଣୁ ସମସ୍ତ ଘର ନିର୍ମାଣ କାର୍ଯ୍ୟ ହୋଇପାରିନି । ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ବି ପଡୁନି ଏହି ଦୁଇ ଗାଁ ରେ । ଏସବୁ ସମସ୍ୟାକୁ ନେଇ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି କେବଳ ଭୋଟ ସମୟରେ ଦେଖା ଦେଉଛନ୍ତି ପରେ ଭୁଲି ଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ପାଖରେ ଅନେକ ଥର ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ଏଣୁ ରାଜ୍ୟର ନୂଆ ବିଜେପି ସରକାରଙ୍କୁ ଗାଁ ରେ ବିଦ୍ୟୁତ, ରାସ୍ତା ଓ ପିଇବା ପାଣିର ସୁବିଧା କରିବା ନେଇ ଗ୍ରାମବାସୀ ନିବେଦନ କରିଛନ୍ତି । ବର୍ଷ ବର୍ଷ ଧରି ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟଜଳର ସମସ୍ୟା ରହିଛି । ଗମନାଗମନ ପାଇଁ ରାସ୍ତା ନଥିବାରୁ ଦୁର୍ଗମ ସିଉନାପଦର ଓ କର୍ତାସ ଗାଁ ଲୋକେ ଯନ୍ତ୍ରଣା ଭୋଗୁଛନ୍ତି ।
Related Stories
January 3, 2025