-
ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରୁ ଏକ ଜନସଚେତନତା ରାଲି କରାଯାଇଥିଲା । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ରାଲିକୁ ଉଦ୍ଘାଟନ କରିଥିଲେ । ଶକ୍ତି ବିଭାଗ ଏବଂ ସିଇଏସ୍ର କର୍ମଚାରୀମାନେ ରାଲି ସଂଚାଳନ କରିଥିଲେ ।
ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ୍), ଶକ୍ତି ବିଭାଗ ଦ୍ୱାରା ଏହି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଏକ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା, ଶିଳ୍ପ ସଂସ୍ଥା, ବୈଷୟିକ ବିଶେଷଜ୍ଞ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ ମଡେଲ୍ ପ୍ରଦର୍ଶନ କରାଯାଇଥିଲା । ଏତଦ୍ବ୍ୟତୀତ ବିଭିନ୍ନ ଶକ୍ତି ଦକ୍ଷ ଉପକରଣ, ଇଲେକ୍ଟ୍ରିକ୍ଯାନ, ସୋଲାର ପ୍ୟାନେଲ ପ୍ରଦର୍ଶନ କରାଯାଇ ଏହାର ବ୍ୟବହାର ନିମନ୍ତେ ଉତ୍ସାହିତ କରାଯାଇଥିଲା । ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଶକ୍ତି ସରଂକ୍ଷଣରେ ଆମ ପଦକ୍ଷେପ କେବଳ ସେମିନାର, କନ୍ଫରେନ୍ସର ଚାରିକାନ୍ଥ ଭିତରେ ସୀମିତ ନ ରହି ଦୈନନ୍ଦିନ ଜୀବନରେ ହେବା ଉଚିତ । ଯେପରିକି, ଆବଶ୍ୟକ ନ ଥିଲେ ବିଦ୍ୟୁତ ଉପକରଣର ସ୍ୱିଚଗୁଡ଼ିକୁ ବନ୍ଦ ରଖିବା, ସବୁଜ ଶକ୍ତି, ଅକ୍ଷୟ ଶକ୍ତିର ବ୍ୟବହାର । ସମସ୍ତେ ମିଳିମିଶି ଶକ୍ତି ସରଂକ୍ଷଣରେ ସହଯୋଗ କରନ୍ତୁ, ଜଳବାୟୁ ପରିବର୍ତ୍ତନ ସଂଶୋଧନରେ ସହଭାଗୀ ହୁଅନ୍ତୁ । ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ଆମକୁ ଶକ୍ତି ସଞ୍ଚୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ଏବଂ ଭବିଷ୍ୟତପିଢ଼ିଙ୍କୁ ଏହି ଅଭ୍ୟାସରେ ବିନିଯୋଗ କରିବାକୁ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଚଳିତ ବର୍ଷ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ଓଡିଶାର ପ୍ରତି ବ୍ଲକ ଓ ଜିଲ୍ଲା ସ୍ତରରେ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଶ୍ରେଷ୍ଠ ବିବେଚିତ ୩୦ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ । ସାରା ରାଜ୍ୟର ସପ୍ତମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧,୫୦,୦୦୦ ପ୍ରତିଯୋଗୀ ଏହି କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶ୍ରେଷ୍ଠ ବିବେଚିତ ୩ ଜଣ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୭୦୦୦, ୫୦୦୦ ଓ ୩୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ଦୃଷ୍ଟାନ୍ତମୂଳକ ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ନିଳାଞ୍ଚଳ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।