ବୌଦ୍ଧ- ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଅଚଳାବସ୍ଥା ଦେଖାଦେଇଛି । ବ୍ଲକରେ ବିଡିଓ ପଦବି ଖାଲି ପଡିଥିବାରୁ ବ୍ଲକରେ ବିଡିଓ ନିଯୁକ୍ତି ଦାବିରେ ପଂଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟରେ ତିନି ଦିନ ହେଲା ତାଲା ପକାଇ ଧାରଣାରେ ବସିରହିଛନ୍ତି । ଫଳସ୍ୱରୂପ ବ୍ଲକରେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି ଓ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ବ୍ଲକର ପଂଚାୟତ ପ୍ରତିନିଧିମାନେ ବିଡିଓ ପଦବି ଖାଲି ପଡିଥିବାରୁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ସୃଷ୍ଟି ହେଉଥିବାରୁ ତୁରନ୍ତ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ ସରକାର ବ୍ଲକରେ ବିଡିଓ ନିଯୁକ୍ତି ନକରିବା ଯୋଗୁଁ ପଂଚାୟତ ପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗେଟରେ ତାଲା ପକାଇ ଧାରଣାରେ ବସି ରହୁଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଏଠାରେ ପ୍ରକାଶ କରିଛନ୍ତି ।
ଜିଲ୍ଲାର ଏହି ବ୍ଲକ ଅଧିନରେ ୨୨ ଗୋଟି ପଂଚାୟତ ରହିଥିବା ବେଳେ ବ୍ଲକରେ ଗତ ଦୁଇମାସ ହେବ ବିଡିଓ ପଦବି ଖାଲି ପଡିଛି । ହରଭଙ୍ଗା ତହସିଲଦାରଙ୍କୁ ଅତିରିକ୍ତ ଭାବରେ ବିଡିଓ ଦାୟୀତ୍ୱ ଦିଆଯାଇଛି । ହେଲେ ଦୁଇଟି ଯାକ ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜଣେ ଅଧିକାରୀ ଦୁଇ ଦୁଇଟି ଦାୟୀତ୍ୱ ତୁଲାଇବା ଯୋଗୁଁ ଜନସାଧାରଣ ଠିକ୍ ଭାବରେ ପ୍ରଶାସନିକ ସେବା ପାଇବାରେ ବଂଚିତ ହେଉଛନ୍ତି । ବ୍ଲକର ଅନେକ ଅଂଚଳକୁ ନିତିଦିନିଆ ସଡ଼କଟିଏ ନଥିବା ବେଳେ ଅନେକ ଗ୍ରାମକୁ ଗାଡି ମୋଟର ଚଳାଚଳ କରୁନାହିଁ । ଗମନାଗମନର ଏତେ ସବୁ ଅସୁବିଧା ଥିଲେ ମଧ୍ୟ ଜନସାଧାରଣ ସେମାନଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟକୁ ବାଧ୍ୟହୋଇ ଆସିଥାନ୍ତି । ହେଲେ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିବା ଯୋଗୁଁ ନିରାଶ ହୋଇ ସେମାନଙ୍କୁ ଫେରିବାକୁ ପଡୁଛି । ଗରୀବ ଲୋକମାନେ ସେମାନଙ୍କ ଆବାସ ଯୋଜନାରେ ପାଇଥିବା ଘର କାଗଜପତ୍ର ପାଇଁ, ବୃଦ୍ଧବୃଦ୍ଧା ମାନେ ସେମାନଙ୍କ ଭତା ପାଇଁ ବିଭିନ୍ନ ପଂଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଆସିଥାନ୍ତି । ହେଲେ ବର୍ତମାନ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ସେହିପରି ଉନ୍ନୟନ କାର୍ଯ୍ୟ ମଧ୍ୟ ଠପ୍ ହୋଇପଡିଛି । ଯାହାକି କର୍ମଚାରୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇ ପଡିଛି । ସେପଟେ ପ୍ରଶାସନ ଏହି କାର୍ଯ୍ୟରେ ହସ୍ତକ୍ଷେପ କରି ପଂଚାୟତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି କରିବାକୁ ଦାବି ହେଉଛି ।