ବାରିପଦା- ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଳେଶ୍ୱର ରାଜ୍ୟ ରାଜପଥର ଜମ୍ଭୀରଡିହା ଛକ ନିକଟରେ ଜାନୁଆରୀ ୨୦ରେ ଅଜଣା କାର୍ ଧକ୍କାରେ ତିନି ଜଣ ଗୁରୁତର ହୋଇଥିଲେ । ଦୁଇଟି ସାଇକେଲରେ ଶଙ୍ଖାଭଙ୍ଗା ହାଟରୁ ଫେରୁଥିବା ବେଳେ ଗୋଟିଏ ଇଣ୍ଡିକା କାର୍ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ଗୁରୁତର ହେସେଲଡ଼ିହି ଗ୍ରାମର ଖୁଦୁ ଟୁଡୁ (୫୦), ଟେପ ମାରାଣ୍ଡି ଓ ତାଙ୍କ ପୁତ୍ର ତଥା ଭୁବନେଶ୍ୱର ସ୍ଥିତ କିଟସ ଶିକ୍ଷା ଅନୁଷ୍ଠାନର ଛାତ୍ର ଅବିନାଶ ମାରାଣ୍ଡି (୭) ଗୁରୁତର ଭାବେ ଆହତ ହୋଇ ପ୍ରଥମେ ବାରିପଦା ପିଆରଏମ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜାନୁଆରୀ ୨୨ ବୁଧବାର ରାତିରେ ଖୁଦୁ ଟୁଡୁ (୫୦) ଙ୍କର ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି । ଘଟଣାର ପ୍ରତିବାଦ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆଜି ସ୍ଥାନୀୟ ଜନସାଧାରଣ ଓ ଖୁଦୁ ଟୁଡୁଙ୍କ ପରିବାର ସଦସ୍ୟ, ଆତ୍ମୀୟସ୍ଵଜନମାନେ ବାରିପଦା – ଜଳେଶ୍ବର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପ୍ରଶାସନ ତରଫରୁ ଖୁଦୁଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ, ପତ୍ନୀଙ୍କୁ କ୍ଷତିପୂରଣ ବାବଦରେ ଆର୍ଥିକ ସହାୟତା ଯୋଗାଇବା ସହିତ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇବା ଆଦି ଦାବିରେ ଖୁଦୁର ଶବ ରଖି ରାସ୍ତା ଅବରୋଧ କରାଯାଇଥିଲା । ଖବର ପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରାଇବା ନିମନ୍ତେ ଉଦ୍ୟମ ଚଳାଇଥିଲେ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଛି ।
Related Stories
November 25, 2024