ଭୁବନେଶ୍ୱର– ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଲେ ମହାମହିମ । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ସାରି ବାହାରିଲେ ରାଷ୍ଟ୍ରପତି । ଏହି ସମୟରେ ସେ ରାଜ୍ୟ ଏବଂ ଦେଶର ମଙ୍ଗଳ ପ୍ରାର୍ଥନା କରିଛନ୍ତି। ଏନେଇ ରାଷ୍ଟ୍ରପତି କହିଛନ୍ତି, “ଜଗନ୍ନାଥଙ୍କ ଦର୍ଶନ କରି ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପ୍ରାର୍ଥନା କଲି । ରାଜ୍ୟର ଲୋକ, ଦେଶର ଲୋକ ଖୁସିରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।”
ବଡ଼ଦାଣ୍ଡରୁ ଚାଲି ଚାଲି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ ମହାମହିମ। ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପଟର ଯୋଗେ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସମଙ୍ଗ ହେଲିପ୍ୟାଡରୁ ବାହାରି ବଡଦାଣ୍ଡରେ ପହଞ୍ଚିଥିଲେ। ରାଷ୍ଟ୍ରପତି ମହାପ୍ରଭୁଙ୍କ ପାଖରେ ୧୦ରୁ ୧୫ ମିନିଟ୍ ସମୟ ଅତିବାହିତ କରିଥିଲେ । ଏହାସହ ନିଜ ହାତରେ ମଧ୍ୟ ସେ ମହାପ୍ରଭୁଙ୍କ ଆଳତି କରିଥିଲେ। ଏହାପରେ ମାଆ ଲକ୍ଷ୍ମୀଙ୍କର ମଧ୍ୟ ଦର୍ଶନ କରିଥିଲେ ମହାମହିମ। ଏହାପରେ ସେ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ ।