ଭୁବନେଶ୍ୱର, ଚଳିତ ଆର୍ଥିକ ବଜେଟ ରେ ବିଭିନ୍ନ ବିଭାଗକୁ ଦିଆ ଯାଇ ଥିବା ଅନୁଦାନ ରାଶି ଖର୍ଚ୍ଚ ହେବାରେ ବିଳମ୍ବକୁ ନେଇ ଆଜି ଗୃହରେ ପ୍ରଶ୍ନକାଳ ସମୟରେ ଉଦବେଗ ପ୍ରକାଶ ପାଇଛି। ବିରୋଧୀ ଦଳର ବିଧାୟକ ମାନେ ଏ ନେଇ ଚିନ୍ତା ପ୍ରକଟ କରିବା ସହ ଏହି ରାଶିକୁ କିପରି ଖର୍ଚ କରାଯାଇ ପାରିବ ସେ ନେଇ ବିଶେଷ ଧ୍ୟାନ ଦେବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଉତ୍ତର ଦେଇ ଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶତ ପ୍ରତିଶତ ଅନୁଦାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖର୍ଚ୍ଚ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏ ସମ୍ପର୍କିତ ମୂଳ ପ୍ରଶ୍ନ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରୁ ସ୍ପଷ୍ଟ ଯେ ଅନେକ ବିଭାଗରେ ଖୁବ କମ ଅର୍ଥ ଖର୍ଚ ହୋଇଛି । ତେଣୁ ଏହାକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି।
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଯେପରି ଭାବେ ଅନୁଦାନ ଖର୍ଚ୍ଚ ହେଉଛି ସେଥିରୁ ଅନୁମାନ ହେଉଛି ଯେ ଏହା ସମୟ ମଧ୍ୟରେ ଖର୍ଚ୍ଚ ହୋଇ ନ ପାରେ। ତେଣୁ ମୁଖ୍ୟମନ୍ତ୍ରୀ ଏହାର ନିୟମିତ ସମୀକ୍ଷା କରନ୍ତୁ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ଖର୍ଚ୍ଚ ହେଉ। ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମନ୍ଥର ଗତିରେ ଅର୍ଥ ଖର୍ଚକୁ ନେଇ ଉଦବେଗ ପ୍ରକାଶ କରି ଥିଲେ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଯଦି ଆମେ ଦେଖିବାଗତ ବର୍ଷ ଅକ୍ଟୋବର ଓ ବର୍ତ୍ତମାନର ଅକ୍ଟୋବର ମଧ୍ୟରେ ବିଶେଷ କିଛି ଫରକ୍ ନାହିଁ। ମାତ୍ର ତିନି ପ୍ରତିଶତ ର ଫରକ୍ ଅଛି। ବିରୋଧୀ ଦଳ ବିଧାୟକ ମାନେ ଯେଉଁ ଉଦବେଗ ପ୍ରକାଶ କରୁଛନ୍ତି ତାକୁ ଆମେ ସ୍ବାଗତ କରୁଛୁ ହେଲେ ସମୟ ମଧ୍ୟରେ ଶତ ପ୍ରତିଶତ ରାଶି ଖର୍ଚ୍ଚ ହେବ ଏହାର ବିଶ୍ୱାସ ଆମେ ଗୃହକୁ ଦେଉଛୁ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ନିର୍ଧାରିତ ସମୟରେ ଶତ ପ୍ରତିଶତ ରାଶି ଖର୍ଚ ହେବ ।
Related Stories
January 13, 2025
January 13, 2025