● ନିଜ ହାତରେ ଖୁଆଇଲେ କେକ୍
● କହିଲେ, ସେମାନଙ୍କ ମୁହଁରେ ହସ ଦେଖିବା ମୋର ସ୍ଵପ୍ନ
ବାଲେଶ୍ବର : (ବାଲେଶ୍ଵର ରୁ କୃଷ୍ଣ କୁମାର ମହାନ୍ତି) ପ୍ରତିବର୍ଷ ପରି ଚଳିତ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ଅଙ୍କିତା ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ମିସ ବାଲେଶ୍ଵର ଅଙ୍କିତା। ସବୁ ବର୍ଷ ନିଜ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି ସମାଜସେବୀ ଅଙ୍କିତା ସ। ଏଥର ମଧ୍ୟ ସେପ୍ଟେମ୍ବର ୧୨ ତାରିଖ ଦିନ ସହରର ଏକ ବିଳାସପୂର୍ଣ୍ଣ ହୋଟେଲର ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ। ସେମାନେ ହିଁ ଥିଲେ ସେଦିନର ସେଇ ଆଖିଝଲସା ଜନ୍ମୋତ୍ସବର ଅତିଥି। ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ ଜଣାପଡୁଥିଲା ସେମାନଙ୍କ ଅନୁଭବର କଥା। ଏହା ହିଁ ଥିଲା ଅଙ୍କିତାଙ୍କ ସ୍ଵପ୍ନ। ଦୃଷ୍ଟିଶକ୍ତି ହୀନ ସେଇ କୋମଳମତୀ ଛାତ୍ରୀମାନଙ୍କୁ ନେଇ ସେ ସଜେଇବେ ତାଙ୍କ ଜନ୍ମ ଦିନର ମଞ୍ଚକୁ।
ଅଙ୍କିତା ଆରମ୍ଭରୁ ଗରୀବ ଓ ସମାଜରେ ନିସହାୟ ମଣିଷଙ୍କ ପ୍ରତି ସମ୍ବେଦନଶୀଳ। ସମାଜର ଏଇ ନିମ୍ନବର୍ଗର ଲୋକଙ୍କ ଶିକ୍ଷା ଓ ଚଳଣିରେ ସୁଧାର ଆଣିବା ପାଇଁ ସେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ନିଜ ନାମାଙ୍କିତ ଏକ ଫାଉଣ୍ଡେସନ। ସମାଜସେବାରେ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରୁଥିବା ଅଙ୍କିତା ବିଗତ ଦିନରେ ଗରିବ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହଯୋଗ ଦେଇ ଆସିଛନ୍ତି।
ନିଜ ଜନ୍ମଦିନକୁ ଚଳିତ ବର୍ଷ ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କ ମେଳରେ ପାଳନ କରିବା ପାଇଁ ଅଙ୍କିତା ସହରର ଏକ ଘେରୋଇ ହୋଟେଲରେ ଉତ୍ସବର ଆୟୋଜନ କରିଥିଲେ। ବିଦ୍ୟାର୍ଥୀଙ୍କ ସମେତ ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ‘ଆମ ନ୍ୟୁଜ୍’ର ନିର୍ଦ୍ଦେଶକ ବିପ୍ଳବ କୁମାର ମହାନ୍ତି, ‘ସମୟ’ର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ କବି ରଂଜନ ବାଗ, ଡକ୍ଟର
ବାଣୀ ଆଚାର୍ଯ୍ୟ, ନୃତ୍ୟାଙ୍ଗନା ରୋନାଲିଶା ପଣ୍ଡା ଏବଂ ଅଙ୍କିତାଙ୍କ ମାଆ ଓ ପରିବାରର ସଦସ୍ୟମାନେ, ଅଙ୍କିତା ସ ଫାଉଣ୍ଡେସନର କର୍ମକର୍ତ୍ତାଗଣ ଉପସ୍ଥିତ ରହି ଏହି ଜନ୍ମଦିନ ଉତ୍ସବକୁ ପାଳନ କରିଥିଲେ। ଜନ୍ମଦିନ ଅବସରରେ ପାରମ୍ପରିକ କେକ୍ କାଟାଯିବା ପରେ ଅଙ୍କିତା ଦୃଷ୍ଟିହୀନ
ଛାତ୍ରଛାତ୍ରୀଙ୍କୁ ନିଜ ହାତରେ କେକ୍ ଖୁଆଉଥିବା ଦେଖିବାକୁ ମିଳିଥିଲା। ପରେ ପରେ ଦୃଷ୍ଟିହୀନ ପିଲାଙ୍କ ର ନିଜ ମନପସନ୍ଦର ଖାଦ୍ୟ ରାତ୍ରିଭୋଜନ ଆକାରରେ ପରଷା ଯାଇଥିଲା।
ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି କହିଲେ ଯେ, ଦୃଷ୍ଟିହୀନ ପିଲାଙ୍କୁ ଗୁରୁତ୍ବ ଦେଇ ଯେପରି ସେମାନଙ୍କୁ ଘରର ଅନୁଭବ ଦିଆଗଲା, ଏହା ନିଶ୍ଚୟ ଅଙ୍କିତାଙ୍କ ପରି ଫ୍ୟାଶନ ଓ ସୌନ୍ଦର୍ଯ୍ୟ ଦୁନିଆର ଅନ୍ୟ ମହିଳା ମାନଙ୍କୁ ଅନୁପ୍ରେରିତ କରିପାରିବ।
ସେହିପରି ଅନ୍ୟତମ ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ୍ ଫାଉଣ୍ଡେସନର କାର୍ଯ୍ୟକ୍ରମକୁ କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନରଖି ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଉପରେ ପରାମର୍ଶ ଦେବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ ଓ ଅଙ୍କିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
ଶେଷରେ ଦୃଷ୍ଟିହୀନ ପିଲାମାନେ ନିଜ ନିଜର ଅନୁଭବ ବାଣ୍ଟିଥିଲେ।