ରାଉରକେଲା- ରାଜଗାଙ୍ଗପୁର ଡାଲମିଆ ସିମେଟ କୁ କନଭେୟର ବେଲ୍ଟ ପୌରପାଳିକା ରାସ୍ତାର ଉପର ଭାଗରେ ନେବାଲାଗି ଯେଉଁ ଅନୁମତି ଏନଓସି ରାଜଗାଙ୍ଗପୁର ପୌରପାଳିକା ଦେଇଥିଲା ତାକୁ ବାତିଲ କରାଯାଇଛି, ଏନେଇ ଏକ ଚିଠି ଗତକାଲି ସନ୍ଧ୍ୟାରେ ପୌରପାଳିକା ପକ୍ଷରୁ ଡାଲମିଆ ସିମେଟ କୁ ପ୍ରଦାନ କରାଯାଇଛି।
ବିବରଣୀରୁ ପ୍ରକାଶ ଯେ, ଗତ ୨୬ ତାରିଖ ଦିନ ୩ ଟାରେ ପୌରପାଳିକା ରାସ୍ତା ମାଟି ଗେଟ ଉପର ଭାଗରେ ଗୋଟିଏ ୟୁନିଟ ରୁ ଅନ୍ୟ ୟୁନିଟ କୁ ଡାଲମିଆର ମାଲ ପରିବହନ ଲାଗି ଯାଇଥିବା ୩ଟି କନଭେୟର ବେଲ୍ଟ ଭିତରୁ ଗୋଟିଏ ଭୁଶୁଡି ପଡିଥିଲା, ଏଥିଲାଗି ଲୋକେ ୨ ଦିନ ଧରି ସେ ରାସ୍ତାଦେଇ ଯାଇପାରୁନଥିଲେ। ଘଟଣାକୁ ନେଇ ସହରବାସୀ ଆତଙ୍କିତ ହୋଇପଡିବା, ବିଧାୟକ ଏନେଇ ବିଧାନ ସଭାରେ ପ୍ରଶ୍ନ କରିବା ପରେ ସବୁ ଦିଗକୁ ଦୃଷ୍ଟି ଦେଇ ପୌରପାଳିକାର କାଉନଶିଲର ପୁର୍ଣ ଚନ୍ଦ୍ର ରାଉତ ତୁରନ୍ତ ଏହାର ଏନଓସି ବାତିଲ ଲାଗି ଦାବି କରିଥିଲେ ଫଳରେ ଏ ନେଇ ଅଧ୍ୟକ୍ଷ ପୂର୍ବରୁ ଦିଆଯାଇଥିବା ଏନଓସି ନମ୍ବର ୨୨୫ ତା ୨୨/୧/୨୦୧୫ କୁ ବାତିଲ କରିବାକୁ ନିର୍ଦେଶ ଦେଇଥିଲେ। ଫଳ ସ୍ୱରୂପ ଗତକାଲି ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହା ଛଡା ଏଭଳି ଦୁର୍ଘଟଣା ଲାଗି ଲୋକେ ଆତଙ୍କିତ ହୋଇ ପଡିଛନ୍ତି, ବିପଦପୁର୍ଣ ଭାବେ ଡାଲମିଆ କାମ କରୁଛି, ତେଣୁ ଅନ୍ୟ ଦୁଇଟି ବେଲ୍ଟ ଲାଗି ଦିଆଯାଇଥିବା ଅନୁମତିକୁ କାହିଁକି ବାତିଲ କରାନଯିବ ତାର ଉତ୍ତର ୧୫ ଦିନ ଭିତରେ ରଖିବାକୁ ଡାଲମିଆ ମୁଖିଆଙ୍କୁ ନିର୍ଦେଶ ଦିଆଯାଇଛି। ଏହି ଖବର ପ୍ରଚାରିତ ହେବାପରେ ସହରରେ ଖୁସିର ବାତାବରଣ ଦେଖାଯାଇଛି ଓ ତୁରନ୍ତ ଅନ୍ୟ ଦୁଇଟି ବେଲ୍ଟ କୁ ହଟାଇବା ଲାଗି ଦାବିହୋଇଛି। ଏଭଳି ସ୍ଥିତିରେ ଦୀର୍ଘ ଦିନରୁ ସହରରେ ମନ ମାନି ଚଳାଇଥିବା ଡାଲମିଆ ବିରୋଧରେ ଲୋକେ ଓ ଗ୍ରାମବାସୀ ଏକତ୍ରିତ ହେଉଥିବା ଖବର ମିଳିଛି।