ଭଦ୍ରକ – ଏହି ଜିଲାର ତିହିଡି ବ୍ଲକ୍ ଅମୃତପୁର ସେବା ସମବାୟ ସମିତିରେ ଧାନକିଣାକୁ ନେଇ ପରିସ୍ଥିତି ଜଟିଳ ହୋଇଛି । ଅନ୍ଲାଇନ୍ରେ ତୃଟି ଦର୍ଶାଇ ପ୍ରକୃତ ଚାଷୀ ବାଦ୍ ପଡୁଥିବାର ଅଭିଯୋଗ ସହ ସଂପାଦକ ଓ ସହ ସଂପାଦକଙ୍କ ବିରୁଦ୍ଧରେ ସମିତିର ସଭାପତି ଓ ଉପସଭାପତି ଜିଲାପାଳଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ସମିତିର ସଂପାଦକ ଓ ସହ ସଂପାଦକ ନିଜ ମନଇଚ୍ଛାରେ କେତେକ ଲୋକଙ୍କ ଜମିକୁ ଆଣି ଅନ୍ଲାଇନ୍ ମାଧ୍ୟମରେ ଧାନ ବେପାରୀଙ୍କ ସହାୟତାରେ କ୍ରୟ କରୁଛନ୍ତି । ଏଥିସହ ମିଥ୍ୟା କାଗଜପତ୍ର ଯୋଗାଡ କରି କୃତ୍ରିମ ଭାଗଚାଷୀ ସୃଷ୍ଟି କରାଯିବା ସହ ଅନ୍ଲାଇନ୍ ମଧ୍ୟ କରାଯାଇଥିବାର ଅଭିଯୋଗ ହୋଇଛି । ପୁରୁଣା ଓ ବିକ୍ରି ହୋଇଥିବା ଜମିପଟା ବ୍ଲକ୍ ବାହାରେ ଥିବା ଜମି ଓ ଜମି ନଥିବା ମାଲିକମାନେ ବହୁ ଜାଲିଆତି ପ୍ରସଙ୍ଗ ଥିଲେ ମଧ୍ୟ ସେମାନଙ୍କ ନାମରେ ଅନ୍ଲାଇନ୍ କରାଯାଇଛି । ଏବଂ ଧାନ କ୍ରୟ ଆଇନ୍ ଅନୁଯାୟୀ ସେମାନଙ୍କ ଧାନ ମଧ୍ୟ କ୍ରୟ କରାଯାଉଛି । ଏଥିରେ କେତେକ ପ୍ରକୃତ ଚାଷୀ ବାଦ୍ ପଡୁଛନ୍ତି । କେବଳ ସେତିକି ନୁହେଁ ମିଲରମାନଙ୍କ ସହିତ ଭିତିରିଆ ଯୋଗ ସଂପର୍କ ରଖି ଚାଷୀଙ୍କ ଧାନର କଟାଣ ମଧ୍ୟ କରାଯାଉଥିବାର ଅଭିଯୋଗ ହୋଇଛି । ଚାଷୀଙ୍କ ଶରବ୍ୟର ଶୀକାର ହୋଇ ସଭାପତି ଓ ଉପସଭାପତି ଅନ୍ୟ ଉପାୟ ନପାଇ ଶେଷରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏ ସଂପର୍କରେ ସଂପାଦକ ବାବାଜୀ ଭୂୟାଁଙ୍କୁ ପଚାରିବାରୁ ଅନ୍ଲାଇନ୍ ତୃଟି ସମିତି ଅଧୀନରେ ନଥିବାର କହିବା ସହ ରାଜ୍ୟ ସରକାରଙ୍କ ଘୋଷଣା ପରେ ଚାଷୀମାନେ ଅନ୍ଲାଇନ୍ କରିଥିବାର କହିଛନ୍ତି । ୨୦୧୯ ଅଗଷ୍ଟ ୩୧ ରେ ଏହାର ଶେଷ ତାରିଖ ରହିଥିଲା । ପରେ ସେପ୍ଟେମ୍ବର ୩ ରେ ନୋଟିସ୍ ଜାରି ହୋଇଥିଲା । ଏଥିସହ କାହାର କିଛି ସମସ୍ୟା ଥିଲେ ୧୫ଦିନ ମଧ୍ୟରେ ଆଗତ କରାଯିବାକୁ କୁହାଯାଇଥିଲା । ସେତେବେଳେ ଏଭଳି କୌଣସି ସମସ୍ୟା ନଥିବାରୁ ମୂଳ ଅନ୍ଲାଇନ୍ କାଏମ ହୋଇଛି । ଏବେ ଅଭିଯୋଗ କରାଗଲେ ମଧ୍ୟ ସମିତି ପକ୍ଷରୁ ଏହାର କୌଣସି ପରିବର୍ତନ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସଂପାଦକ ଓ ସହ ସଂପାଦକ ।