
ଭୁବନେଶ୍ୱର– ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବା ସହ ଯାତ୍ରାରେ ଅଶ୍ଳୀଳତା, ଦିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବିପତ୍ର ପ୍ରଦାନ କଲା ସଂଘ। ବର୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି। ଏନେଇ ଏପଟେ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କଲା ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତ୍ର ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରତ୍ୟକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଛି। ସରକାର ଯାତ୍ରା ପରିବେସଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଳୀଳତାରେ ଅଙ୍କୁଶ ଲଗା ଯାଇପାରିବ। ଅନ୍ୟପଟେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୌଣସି ପ୍ରକାରରେ ଯାତ୍ରାରେ ସଂସ୍କୃତି ପରମ୍ପରାକୁ ପ୍ରଶୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ ।