ଜୟପୁର- ଗ୍ରାମାଞ୍ଚଳର ଲୋକଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ସହ ଆଦିବାସୀ ଅଧ୍ୟୁଷିତ ତଥା ନକ୍ସଲ ଉପଦୃତ ଅଂଚଳର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି l ସେଥିରେ ନିରୀହ ଆଦିବାସୀ, ନିରକ୍ଷର, ନିଷ୍ପେସିତ ଲୋକଙ୍କ ଉନ୍ନତ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଓ ଗମନାଗମନର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଵ୍ୟୟ ମଧ୍ୟ କରାଯାଉଛି l ଏଥିପାଇଁ ବିଭିନ୍ନ ଵିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଅକୃଷ୍ଟ ମଧ୍ୟ କରାଯାଉଛି l କିନ୍ତୁ, ଵିଜ୍ଞାପନ ମାଧ୍ୟମରେ ବାଃ ବାଃ ନେଉଥିବା ସରକାରଙ୍କ ରାଜ୍ୟରେ ଏମିତି ଅନେକ ଗାଁ ଅଛି ଯେଉଁଠି କି ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେବା ସହ ଅଭିଶପ୍ତ ଜୀବନ ବିତାଉଛନ୍ତି ଅଂଚଳବାସୀ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବଂ ରାଜ୍ୟ ସରକାରଙ୍କ ଲମ୍ବା ଶାସନ ପରେ ବି ଏହି ଚିତ୍ରଟି ବିକାଶର ଡିଣ୍ଡିମ ପିଟୁଥିବା ଶାସକ ଦଳ ତଥା ପ୍ରଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି l ସେହି ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ଅଣ୍ଡରି ଗାଁ ରେ l
ଏହି ଗ୍ରାମରେ ପ୍ରାୟ ଏଗାରଟି ପରିବାର ବାସ କରନ୍ତି । ଗ୍ରାମରେ ପାନୀୟ ଜଳର ସୁବିଧା ପାଇଁ ନଳକୂଅ କିମ୍ବା କୂଅ କିଛି ନଥିବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ଧାନ କିଆରୀକୁ ଲାଗି ରହିଥିବା ଏକ ଛୋଟ ଚୁଆର ପାଣି କିମ୍ବା ଗାଁ ମୁଣ୍ଡରେ ଥିବା ନଦୀର ପାଣି ବ୍ୟବହାର କରି ଅପପୁଷ୍ଟି, ହଇଜା ଭଳି ରୋଗର ଶିକାର ହେଉଛନ୍ତି । ଗ୍ରାମବାସୀ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏନେଇ ଗୁହାରି କରି ଥକି ଗଲେଣି ବୋଲି ଅଭିଯୋଗ କରିଛନ୍ତି । ସେହିପରି ଏହି ଗାଁ ଠାରୁ 326 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ମାଟିରାସ୍ତାଟି ଅଛି ସତ, କିନ୍ତୁ ରାସ୍ତା ମଝିରେ ନଦୀନାଳ ଲାଗି ଅପହଞ୍ଚରେ ଭାବେ ରହୁଛନ୍ତି ଅଣ୍ଡରି ଗ୍ରାମବାସୀ l ଏମିତିକି ପ୍ରଶାସନ ଅଧିକାରୀ ଏହି ଗାଁକୁ ଯିବାକୁ ଅମଙ୍ଗ ହୁଅନ୍ତି l ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହୋଇଛି, କିନ୍ତୁ ତାହା ଫଳକରେ ସୀମିତ ରହିଛି । ବାସ୍ତବରେ ଏବେବି ରାସ୍ତାଟିରେ ପିଚୁ ପଡିନାହିଁ କି ନଦୀରେ ପୋଲ ନିର୍ମାଣ ହୋଇନାହିଁ l ଏଥିଲାଗି ମାଟି ରାସ୍ତାଲାଗି ବିଭିନ୍ନ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ଏହା ପୁଣି ବର୍ଷାଦିନେ ସ୍ଥାନୀୟ ଜନସାଧାରଣଙ୍କ କଷ୍ଟକୁ ଦ୍ବିଗୁଣିତ କରୁଛି l ଜରୁରୀକାଳିନ ପରିସ୍ଥିତିରେ ବୈପାରୀଗୁଡା ଗୋଷ୍ଠୀ ଚିକିତ୍ସାଳୟକୁ ଯିବାକୁ ହେଲେ ରୋଗୀଙ୍କୁ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡୁଛି l ନଦୀ ଓ କାଦୁଅ ରାସ୍ତାଲାଗି ଆମ୍ବୁଲାନ୍ସ ଗାଁକୁ ଯାଇପାରୁନି l ଗର୍ଭବତୀ ଓ ପ୍ରସୂତି ମହିଳା ରୋଗୀକୁ ଗାଁ ଲୋକଙ୍କ ସାହାଯ୍ୟରେ ଖଟିଆରେ ବୋହି ଆଣିଲl ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଉଛି l ଏପରି ପରିସ୍ଥିତିରେ ବିଭିନ୍ନ ସମୟରେ ଜୀବନ ପ୍ରତି ବିପଦ ରହିଛି । ପୁଣି ସେହିପରି ଅନ୍ୟ ସମସ୍ୟା ହେଲା ଶିଶୁ ଅଧିକାରରୁ ବଞ୍ଚିତ ଅଛନ୍ତି ଗାଁର ସମସ୍ତ ଶିଶୁ l ଗାଁକୁ ରାସ୍ତା ଠିକ ନ ଥିବାରୁ ନା ଏମାନେ ଅଙ୍ଗନବାଡି କେନ୍ଦ୍ରକୁ ଯାଆନ୍ତି ନା ଅଙ୍ଗନବାଡି ଦିଦି ଏ ଗାଁକୁ ଆସନ୍ତି l ପିଲାଙ୍କୁ ଉଚିତ ସମୟରେ ଟୀକାକରଣ କରୁନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ l ପିଲାଙ୍କ ଛତୁଆ ଆଣିବା ପାଇଁ ଅଙ୍ଗନବାଡି ଦିଦିଙ୍କ ଘରକୁ ବୈପାରୀଗୁଡା ଯିବାକୁ ପଡୁଥିବା ବେଳେ ଅଣ୍ଡା ବାରଟା ବଦଳରେ ଚାରିଟା ମିଳୁଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଆଉ ଗର୍ଭବତୀଙ୍କୁ ବାଦାମ ଲଡ଼ୁ ମିଳୁ ନଥିବା ଜଣାପଡୁଛି l ସେହିପରି ସରକାରଙ୍କ ପକ୍ଷରୁ ମା ଓ ଶିଶୁ ପୃଷ୍ଟିହୀନତା ସମସ୍ୟାକୁ ଦୂର କରିବା ପାଇଁ “ମମତା “ଯୋଜନା ନାମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି l ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବ, ଯାହାଦ୍ୱାରା ସେମାନଙ୍କ ପାଇଁ ଉନ୍ନତି ପୃଷ୍ଟି ପାଇବା ତଥା ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ସମ୍ଭବ ହୋଇପାରିବ l ବିଶେଷ କରି ଅପପୃଷ୍ଟି ଶିଶୁ ମୃତ୍ୟୁ ହାର କମିବା ଆଶାରେ ଏହି ଯୋଜନା ପ୍ରଣୟନ ହୋଇଛି । କିନ୍ତୁ ଅଣ୍ଡରି ଗାଁରେ ମମତା ଯୋଜନାରୁ ବଞ୍ଚିତ ଅଛନ୍ତି ଅନେକ ମହିଳା l ସେମାନେ ହେଲେ ରାମଦାସ ଖରାଙ୍କ ସ୍ତ୍ରୀ ଗୌରୀ ଖରା, ହରିବନ୍ଧୁ ପାଙ୍ଗିଙ୍କ ସ୍ତ୍ରୀ ଚୁମି ପାଙ୍ଗି, ଡମୁ ହନ୍ତାଳଙ୍କ ସ୍ତ୍ରୀ କମଳା ହନ୍ତାଳ l ଏହିପରି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଏହି ଏଗାରଟି ପରିବାର ପ୍ରତି କେବେ ସରକାର ଦୃଷ୍ଟି ଦେବେ ତାହା ଦେଖିବାକୁ ବାକି ରହିଲା l