
କେନ୍ଦ୍ରାପଡ଼ା – ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗପୁତ ଜୀବନ ଓ ଦେଶ ପ୍ରେମ ସମାଜକୁ ବହୁକାଳଧରି ମାର୍ଗଦର୍ଶନ କରିଆସୁଥିଲେ ବୋଲି କେନ୍ଦ୍ରାପଡାର ଅନ୍ୟତମ ସଂଗ୍ରାମୀ ସ୍ୱର୍ଗତଃ ଦୁଃଖିଶ୍ୟାମ ଜେନାଙ୍କ ୧୯ତମ ସ୍ମୃତି ଉତ୍ସବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ଅତିଥିମାନେ ମତ ରଖିଛନ୍ତି । କେନ୍ଦ୍ରାପଡାର ବଗଡା ପଂଚାୟତରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସଭାରେ ଅତିଥିମାନେ ଏହିଭଳି ମତ ରଖିଥିଲେ । ସଂସଦର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂପାଦକ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବରିଷ୍ଠ ନ୍ୟାୟାଧିଶ ବିଶ୍ୱରଂଜନ ବେହେରା ମୁଖ୍ୟ ଅତିଥି, ଅଧ୍ୟାପକ ଅଜୟ ସାମଲ ସମ୍ମାନୀତ ଅତିଥି, ଶିକ୍ଷାବିତ୍ ଦିବାକର ଜେନା, ଅକ୍ଷୟ ପାଣି, ନିରଞ୍ଜନ ଜେନା, ନିରଞ୍ଜନ ରାଉତରାୟ, ଅବଧୂତ ରାଉତ, ରମେଶ ଚନ୍ଦ୍ର ପ୍ରଧାନ, ଭାଗିରଥି ଜେନା, ଅଭୟ ସ୍ୱାଇଁ, ଅବନ୍ତି ବେହେରା ପ୍ରମୁଖ ସଂଗ୍ରାମୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ସ୍ୱର୍ଗତଃ ଦୁଃଖିଶ୍ୟାମ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାସହ ବାନର ସେନା ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରି ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ବନ୍ଦି ଜୀବନ ଅତିବାହିତ କରିଥିଲେ । ଏ ଅବସରରେ ଏ ଅଂଚଳର ବରିଷ୍ଠ ନାଗରିକ ନନ୍ଦ କିଶୋର ବାରିକ, ରଘୁନାଥ ପାଣି, ଧରଣୀଧର ପାତ୍ର, ବୈଷ୍ଣବ ଚରଣ ସାହୁ, ଦୋଳଗୋବିନ୍ଦ ସ୍ୱାଇଁ, କୃଷ୍ଣଚନ୍ଦ୍ର ବେହେରା ଓ କ୍ଷେତ୍ରବାସୀ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସମ୍ମାନ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ରବିନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।