ନୂଆଦିଲ୍ଲୀ– ଦିଲ୍ଲୀ ହାଇକୋର୍ଟରେ ଗୁରୁବାର ଦିଲ୍ଲୀ ପୋଲିସ କହିଛି ଯେ, ଲଦାଖରୁ ଦିଲ୍ଲୀ ପହଂଚିଥିବା ପରିବେଶ କାର୍ଯ୍ୟକର୍ତା ସୋନମ ବାଂଗଚୁକଙ୍କୁ ମୁକ୍ତ କରାଯାଇଛି । ଏହାପରେ ହାଇକୋର୍ଟ ଏହି ଆବେଦନକୁ ନିଷ୍କ୍ରିୟ କରିଛନ୍ତି ।
ସୋନମ ବାଂଗଚୁକ ଏବଂ ତାଙ୍କ ସହଯୋଗୀ ମାନଙ୍କୁ ସେପ୍ଟେମ୍ବର ୩୦ ତାରିଖରେ ଦିଲ୍ଲୀ ସୀମାରୁ ହେପାଜତରେ ନିଆଯାଇଥିଲା । ଏହାପରେ ଅକ୍ଟୋବର ୧ ତାରିଖରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏହି ମାମଲା ମେନସନ୍ କରି ସୋନମ ବାଂଗଚୁକକୁ ମୁକ୍ତ କରିବାକୁ ଦାବି କରାଯାଇଥିଲା । ଏହାପରେ ହାଇକୋର୍ଟ ଏହି ମାମଲାରେ ଅକ୍ଟୋବର ୩ ତାରିଖରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଆଗତ ସଲିସିଟର ଜନରଲ ତୁଷାର ମେହତା ମୁଖ୍ୟ ବିଚାରପତି ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ସୂଚିତ କରିଥିଲେ ଯେ, ଲଦାଖରୁ ଆସି ଦିଲ୍ଲୀରେ ପହଂଚିଥିବା ପରିବେଶ କାର୍ଯ୍ୟକର୍ତା ସୋନମ ବାଂଗଚୁକଙ୍କୁ ଖଲାସ୍ କରାଯାଇଛି । ଏହାପରେ ହାଇକୋର୍ଟ ଏ ସମ୍ବନ୍ଧୀୟ ଆବେଦନକୁ ନିଷ୍କ୍ରିୟ କରିଛନ୍ତି ।
ସଲିସିଟର ଜନରଲ ତୁଷାର ମେହତା କୋର୍ଟଙ୍କୁ କହିଥିଲେ ଯେ, ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଲଗାଯାଇଥିବା ନିଷେଧାଦେଶ ପ୍ରତ୍ୟାହାର କରାଯାଇଛି । ଏବଂ ସୋନମ ବାଂଗଚୁକଙ୍କ ସମେତ ତାଙ୍କ ସହଯୋଗୀ ମାନଙ୍କୁ ଛାଡି ଦିଆଯାଇଛି । ଏବେ ସୋନମ ବାଂଗଚୁକ ଏବଂ ତାଙ୍କ ସହଯୋଗୀ ନିଜ ଇଚ୍ଛା ଅନୁସାରେ କେଉଁଆଡେ ମଧ୍ୟ ଯାଇପାରିବେ ।