ହରିଚନ୍ଦନପୁର,କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଭଗାମୁଣ୍ଡା ବନପାଳ ଅଧିନସ୍ଥ ଶଗଡପଟା ବିଟ୍ ନିକଟ ଗୁଣ୍ଡୁରିଧରା ପାଖ ରେବଣା ସଂରକ୍ଷିତ ଜଙ୍ଗଲରୁ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ବ ଗଛ କାଟାଯାଇ ତଳେ ପଡିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କେତେ ଗୁଡିଏ ସାହି ଗଢି ଉଠୁଥିବା ବେଳେ ଜବରଦଖଲକାରୀ ମାନେ ମନମୁଖି ଗଛ କାଟି କ୍ଷେତ, ଚାଷଜମି କରିବାରେ ବ୍ୟସ୍ତ ରହୁଛନ୍ତି । ଫଳରେ ଦିନକୁଦିନ ରେବଣା ସଂରକ୍ଷିତ ଜଙ୍ଗଲ ଧ୍ୱଂସାଭିମୂଖ ହୋଇପଡିଛି । କିଛିଦିନ ପୂର୍ବରୁ ଇଣ୍ଡିଆ ସାହି ନିକଟରେ ଥିବା ଖେସରା ଜଙ୍ଗଲରୁ ଜଣେ ଠିକାଦାର ବେଆଇନ ମାଟି ଉତ୍ତୋଳନ ସହ ଗଛ ନଷ୍ଟ କରିଥିବା ଅଭିଯୋଗ ରହିଥିଲା । ତେବେ ବନବିଭାଗ ସବୁ ଜାଣି ବି ନିରବ ରହିଥିଲା ଏବଂ ଅନେକ ସମୟରେ ଭଗାମୁଣ୍ଡା ଅଧିନ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ରେବଣା ସଂରକ୍ଷିତ ଜଙ୍ଗଲରୁ ବେଧଡକ ଗଛ କାଟି ନେଉଥିବା ନଜିର ରହିଛି । ବନବିଭାଗର ସ୍ତରବନ୍ଧ ନିର୍ମାଣରେ ମଧ୍ୟ ବ୍ୟାପକ ଗଛ ନଷ୍ଟ ହେଉଥିବା ଦେଖାଯାଇଛି ତେବେ ଦିନକୁଦିନ ସଂରକ୍ଷିତ ଜଙ୍ଗଲ ଧ୍ୱସମୟ ଦିଗକୁ ଗତି କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଗୋଟିଏ ପଟେ ପରିବେଶ ସନ୍ତୁଳନତା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାଆ ପାଇଁ ଗଛଟିଏ ଭଳି ମହତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଗଛ କଟାକୁ ନେଇ ଏଠାରେ ପ୍ରଶ୍ନ ଉଠେ ଯେ ଖାମଖିଆଲି ମନୋଭାବ ନା ସବୁ ଦେଖି ନଦେଖିବାର ଅଭିନୟ କରୁଛି କି ବନବିଭାଗ । ସାଧାରଣ ଲୋକ ଜଙ୍ଗଲରୁ ଦାନ୍ତକାଠି ଓ ଜାଳେଣି କାଠ ଆଣିବା ସମୟରେ ବିଭାଗୀୟ କର୍ମଚାରୀ ନିଜର ପାରିବା ପଣିଆ ଦେଖାଉଥିବା ବେଳେ ଏତେ ଗୁଡ଼ାଏ ଗଛ ନଷ୍ଟ ସତ୍ବେ ଦୃଷ୍ଟି ପଡ଼ିଲା ନାହିଁ କେମିତି ? ଏ ସମ୍ପର୍କରେ ବନ ବିଭାଗର ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରାଯାଇଥିଲେ ହେଁ ଗଣମାଧ୍ୟମ ଆଗରେ କେହି ମୁହଁ ଖୋଲୁନାହାନ୍ତି । ମୂଖ୍ୟ କଥା ଦୀର୍ଘ ଦିନ ହେଲାଣି ଭଗାମୁଣ୍ଡା ଓ ହରିଚନ୍ଦନପୁର ବନପାଳ ପଦବୀ ଖାଲି ଥିବା ବେଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ । ଯଦିଓ ଏହି ଦୁଇଟି ଖାଲିଥିବା ବନପାଳ ଦାୟିତ୍ଵ ଜଣେ ବନପାଳଙ୍କୁ ଦିଆଯାଇଛି, ହେଲେ ସେ ରେଞ୍ଜର କାର୍ଯ୍ୟାଳୟରେ ସ୍ଥାୟୀ ଭାବେ ସମୟ ଦେଉଥିବାରୁ ଦିନକୁ ଦିନ ଜଙ୍ଗଲ ନଷ୍ଟ ସଂଖ୍ୟା ବୃଦ୍ଧି ପାଉଛି । ଏହି ଦୁଇଟି ସ୍ଥାନରେ ଦୀର୍ଘଦିନ ହେବ ସ୍ଥାୟୀ ବନପାଳ ଦେବାକୁ ବାରମ୍ବାର ଦାବି ହେଇ ଆସୁଥିଲେ ମଧ୍ୟ ବନବିଭାଗର ଉଚ୍ଚ କର୍ତୃପକ୍ଷ ନିରବ ରହିଛନ୍ତି । ଯାହା ଫଳରେ ଏଅଞ୍ଚଳର ଜଙ୍ଗଲ ନଷ୍ଟ ସହ କାଠ ଚୋରା ଚାଲାଣ କରିବାରେ ମାଫିଆ ବେଶ୍ ସକ୍ରିୟ ହେଉଛନ୍ତି ।
Related Stories
October 6, 2024
October 6, 2024