ଜୟପୁର- ଜୟପୁର ରେଞ୍ଜ ଅନ୍ତର୍ଗତ କୋରାପୁଟ ଘାଟି ଜଙ୍ଗଲରେ ଅବାଧରେ ଚାଲିଛି ଜନ୍ତୁ ଶିକାର। ଗ୍ରାମବାସୀ ଦଳ ଦଳ ହୋଇ କରୁଛନ୍ତି ଝିଙ୍କ ତଥା ଅନ୍ୟ ଜନ୍ତୁ ଗୁଡିକର ଶିକାର। ଶୁକ୍ରବାର ସକାଳେ ଜୟପୁର କୋରାପୁଟ ଘାଟି ଜଙ୍ଗଲରେ ଲୋକ ଦଳବଦ୍ଧ ଭାବରେ ଅବାଧରେ ଜନ୍ତୁ ଶିକାର କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।
ଫରେଷ୍ଟର, ଫରେଷ୍ଟଗାର୍ଡ ଓ ଅନ୍ୟ କର୍ମଚାରୀ ଜଙ୍ଗଲ ସୁରକ୍ଷା ତଥା ଜଙ୍ଗଲରେ ରହୁଥିବା ପଶୁପକ୍ଷୀମାନଙ୍କର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଜୟପୁର ଆଖପାଖ ଜଙ୍ଗଲରେ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ବନ କର୍ମଚାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ହଜ଼ାର ହଜାର ନିରୀହ ପଶୁପକ୍ଷୀଙ୍କୁ ପ୍ରତିଦିନ ଶିକାର କରାଯାଉଛି, ଯଦ୍ୱାରା ଜଙ୍ଗଲ ପଶୁ ଶୂନ୍ୟ ହେବାକୁ ବସିଲାଣି। ଏହାଦ୍ୱାରା ଜୟପୁରବାସୀ, ପରିବେଶବିତ ତଥା ପଶୁପ୍ରେମୀଙ୍କ ମନରେ ବନ ବିଭାଗ ପ୍ରତି ଆକ୍ରୋଶ ଦିନକୁ ଦିନ ବଢ଼ିବାରେ ଲାଗିଛି । ବନ ବିଭାଗକୁ ଚେତାଇ ଦେବାକୁ ଯାଇ ଜୟପୁରବାସୀ କହିଛନ୍ତି ଯେ, ଯଦି ବନବିଭାଗ ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ଦିଗରେ ଉଚିତ ଏବଂ କଡ଼ା ପଦକ୍ଷେପ ନ ନିଏ ତାହାହେଲେ ଆଗାମୀ ଦିନରେ ସମ୍ପୃକ୍ତ ବିଭାଗ ବିରୁଦ୍ଧରେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଆବଶ୍ୟକ ପଡ଼ିଲେ ବନବିଭାଗ କାର୍ଯ୍ୟାଳୟରେ ତାଲା ଝୁଲାଇବା ପାଇଁ ମଧ୍ୟ ପଛାଇବେ ନାହିଁ।