ଭଦ୍ରକ– ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ଗତକାଲି ନଙ୍ଗାମହଲା ଅଂଚଳର ସନ୍ଥିଆ ପୋଲ ନିକଟରେ ଏକ ସଂଖ୍ୟାଲଘୁ ଗୋଷ୍ଠି ପୋଲିସ ସହ ମୁହାଁମୁହିଁ ହେବା ଘଟଣା ପରେ ପୁରୁଣା ବଜାର ଥାନା ଅଂଚଳରେ ୧୬୩ ଧାରା ଜାରି ହୋଇଛି । ଶୁକ୍ରବାର ସଂନ୍ଧ୍ୟାରୁ ଅଦ୍ୟାବଧି କଟକଣା ବଳବତର ରହିଛି । ଅନ୍ୟପକ୍ଷରେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୋସିଆଲ ମିଡ଼ିଆରେ ଏହାର ଅଧିକ ପ୍ରସାର ବନ୍ଦ କରିବାକୁ ଗତକାଲି ମଧ୍ୟ ରାତ୍ରରୁ ଜିଲ୍ଲାରେ ଇଂଟରନେଟ୍ ସେବାକୁ ବନ୍ଦ ରଖାଯାଇଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସର ବରିଷ୍ଠ ଅଧିକାରୀ ଏହାର ତଦାରଖ କରୁଛନ୍ତି ।
ସେପଟେ ଏହି ଘଟଣାରେ ଧାମନଗର ଥାନା ଅଂଚଳରେ ମଧ୍ୟ ୧୬୩ ଧାରା ଜାରି ରହିଛି । ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ମେଳି କରି ଗତକାଲି ରାତିତମାମ ଧାମନଗର ଥାନା ଘେରାଉ କରି ରଖିଥିଲେ । ସେମାନଙ୍କର ଦାବି ହେଉଛି ତୁରନ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଉ ।