ଜୟପୁର– ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ତଥା ସହଯୋଗୀ ପ୍ରଫେସର ଡ. ରୁଦ୍ରାଣୀ ମହାନ୍ତିଙ୍କୁ ବିଶ୍ଵବିଦ୍ୟାଳୟ କର୍ମୀ-ପରିବାର ପକ୍ଷରୁ ମାନପତ୍ର, ଉପାୟନ ଓ ଉପହାର ସହ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଗତକାଲି ସନ୍ଧ୍ୟାରେ ଆୟୋଜିତ ସଭାରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ ସଭାପତିତ୍ଵ କରିଥିଲାବେଳେ ଭାଷା-ବିଭାଗ ସମୂହର ଅଧ୍ୟକ୍ଷ ତଥା କୁଳସଚିବ ପ୍ର. ନରସିଂହ ଚରଣ ପଣ୍ଡା, ଜୈବବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଅଧ୍ୟକ୍ଷ ପ୍ର. ଶରତ କୁମାର ପଳିତା ଓ ବିଶ୍ଵବିଦ୍ୟାଳୟର ବୟୋଜ୍ୟେଷ୍ଠ ପ୍ରାଶାସନିକ ଅଧିକାରୀ ମଦନମୋହନ ପାତ୍ର ମଞ୍ଚାସୀନ ଥିଲେ। ମଞ୍ଚାସୀନ ପଦାଧିକାରୀମାନେ ତଥା ଉପସ୍ଥିତ ଶିକ୍ଷା ତଥା ଶିକ୍ଷାକର୍ମଚାରୀଗଣ ଡ. ରୁଦ୍ରାଣୀ ମହାନ୍ତିଙ୍କ ପ୍ରତିଭା, ଆତ୍ମୀୟତାପୂର୍ଣ୍ଣ ବ୍ୟକ୍ତିତ୍ଵ, କାର୍ଯ୍ୟକୁଶଳତା, କର୍ତ୍ତବ୍ୟପରାୟଣତା ଓ ବିଶ୍ଵବିଦ୍ୟାଳୟ ତଥା ଓଡ଼ିଆ ବିଭାଗ ପ୍ରତି ତାଙ୍କର ଅବଦାନ ବିଷୟର ସ୍ମୃତି ଚାରଣ କରି ତାଙ୍କ ପ୍ରତି ସମ୍ମାନ ଜ୍ଞାପନ କରିଥିଲେ ।
ସଭାପତିତ୍ଵ ଅଭିଭାଷଣରେ ମାନ୍ୟବର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ କହିଥିଲେ ଯେ, ରୁଦ୍ରାଣୀ ମହାନ୍ତି କୋରାପୁଟର ଉଷର ପାହାଡ଼ରେ ଫୁଟିଥିବା ଫୁଲଟିଏ, ଯିଏ କଠୋର ପରିସ୍ଥିତି ମଧ୍ୟରେ ସଂଗ୍ରାମ କରି ପ୍ରସ୍ଫୁଟିତ ହୋଇଛନ୍ତି । ତାଙ୍କର ସୁବାସ କେବଳ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ବା ଓଡ଼ିଆ ବିଭାଗ ନୁହେଁ, କୋରାପୁଟ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ବିଚ୍ଛୁରିତ ହୋଇଛି । ତାଙ୍କର ସାଧନା, ଶ୍ରମ ଓ ତ୍ୟାଗପୂତ କର୍ମଦକ୍ଷତା ଅନ୍ୟମାନଙ୍କ ଦ୍ଵାରା ଅନୁସୃତ ହେଲେ ବିଶ୍ଵବିଦ୍ୟାଳୟର ପ୍ରଗତି ଓ ପ୍ରତିଷ୍ଠା ଶୀର୍ଷଗାମୀ ହୋଇପାରିବ ।
ସମ୍ବର୍ଦ୍ଧନା ସଭାରେ ଓଡ଼ିଆ ବିଭାଗର ବରିଷ୍ଠ ସହ-ପ୍ରାଧ୍ୟାପକ ଡ. ଆଲୋକ ବରାଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅନ୍ୟତମ ପ୍ରାଧ୍ୟାପକ ଡ. ଗଣେଶପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପକ ଡ, ରଘୁନାଥ ଓଝା ମାନପତ୍ର ପାଠ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀମତୀ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ନିଜ ସ୍ଵଲଭ ଆବେଗଭରା ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର ଆରମ୍ଭ ଦିନଗୁଡ଼ିକରେ ନାହିଁନାହିଁ ବାତାବରଣରେ ଶିକ୍ଷାଦାନ, ବିଦ୍ୟାର୍ଥୀଙ୍କ ସୁପରିଚାଳନା, ଅନ୍ତେବାସୀମାନଙ୍କ ସମସ୍ୟାର ନିରାକରଣ ଭଳି ଜଟିଳତା ମଧ୍ୟରେ ବିଶ୍ୱବିଦ୍ୟାଳୟର ଆନୁସଙ୍ଗିକ କାର୍ଯ୍ୟକ୍ରମ ପରିଚାଳନା କଲାବେଳେ କିଭଳି ସେ ପାଦେପାଦେ ଧୈର୍ଯ୍ୟର ସହିତ କାର୍ଯ୍ୟ କରିଛନ୍ତି ତାହା ବର୍ଣ୍ଣନା କରିଥିଲେ । ପରିଶେଷରେ ଏକମନ ଏକପ୍ରାଣ ହୋଇ ବିଶ୍ୱବିଦ୍ୟାଳୟକୁ ବିଶ୍ୱଦରବାରରେ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟିତ ହେବାକୁ ସମସ୍ତଙ୍କୁ ସେ ନିବେଦନ କରିଥିଲେ ।
ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି ଯେ ସଭାରେ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲା ବେଳେ ପ୍ରଦୋଷ କୁମାର ସ୍ୱାଇଁ, ଜୟନ୍ତ କୁମାର ନାୟକ, କାକଳି ବାନାର୍ଜୀ, ପ୍ରଦୋଷ କୁମାର ରଥ, ଭରତ କୁମାର ପଣ୍ଡା, ସୌରଭ ଗୁପ୍ତା, ପ୍ରସେନଜିତ୍ ସିହ୍ନା, ମାନସ କୁମାର ଦାସ, ପ୍ରଦୀପ କୁମାର ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ସଭାର ସଫଳତା ନିମନ୍ତେ ଅଧ୍ୟାପକ ଡ. ସତ୍ୟ ଷଡ଼ଙ୍ଗୀ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।