ମାଲକାନଗିରି-ମାଲକାନଗିରି ଜିଲ୍ଲାର ମାଥିଲି, କାଲିମେଳା ଓ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଓଡିଶା ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରନ୍ତୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି l
ଉକ୍ତ ପୋଷ୍ଟରରେ ଦୀର୍ଘବର୍ଷ ଧରି ଆମ ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀ ମାନେ ନକ୍ସଲ ସଂଗଠନ ସହିତ ସାମିଲ ହୋଇ ନିଜ ବାପା ମାଆ ଘର ଦ୍ୱାର ଛାଡି ବହୁ କଷ୍ଟ ସହି, ଅଣ ଆଦିବାସୀ ଓ ଅଣ ଓଡ଼ିଆ ନକ୍ସଲ ନେତା ନେତ୍ରୀଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ବର୍ତ୍ତମାନ ବାହାର ରାଜ୍ୟର ଜଙ୍ଗଲ ପାହାଡ଼ରେ ଲୁଚି ଛପି ରହିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାନଙ୍କରେ ସୁରକ୍ଷା କର୍ମୀ ମାନଙ୍କ ସହିତ ମାଓ ସଂଗଠନର ମୁକାବିଲାରେ ବହୁ ସଂଖ୍ୟାରେ ମାଓବାଦୀ ସଂଗଠନରେ ଥିବା ଆଦିବାସୀ ମାନେ ନିଜ ଜୀବନ ହରାଇଛନ୍ତି । ତେଣୁ ଆମ ଅଞ୍ଚଳର ଆଦିବାସୀ ଭାଇ ଓ ଭଉଣୀ ମାନଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ବିନୀତ ଅନୁରୋଧ କରୁଅଛୁ, ସେମାନେ ଓଡିଶା ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ପୁନଃ ଥଇଥାନ ନୀତିର ଲାଭ ଉଠାନ୍ତୁ ଏବଂ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ନିଜ ଜନ୍ମ ମାଟିକୁ ଫେରି ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ଆପଣେଇ ନିଅନ୍ତୁ ।
ବାରମ୍ବାର ଦେଖା ଯାଉଛି ନକ୍ସଲ ସଂଗଠନରେ ଥିବା ଉଚ୍ଚ ଜାତିର ବହୁ ନେତା ମାନେ ଆମ ଆଦିବାସୀ ଓ ପଛୁଆ ଜାତିର ଛୋଟ ସଦସ୍ୟ ମାନଙ୍କୁ ତାଙ୍କ ନିଜ କାମ କରାଉଛନ୍ତି । ସେମାନଙ୍କ ଲୁଗା ପଟା ସଫା କରିବା, ସେମାନଙ୍କ ଜିନିଷ ପତ୍ର ବୋହିବା ତାଙ୍କ ପାଇଁ ଅଲଗା ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଗୋଡ଼, ହାତ ଦେହ ଘଷିବା ଭଳି କାମ ଝିଅ ପିଲା ମାନଙ୍କୁ ନିଜ ପାଖରେ ରଖି କରାଉଛନ୍ତି ।
ନିକଟ ଅତୀତରେ ଆନ୍ଧ୍ର -ଓଡିଶା ବଡର ଜୋନାଲ କମିଟି ସେକ୍ରେଟାରୀ ଗଣେଷ ବୋଲି ନିଜକୁ ପରିଚୟ ଦେଉଥିବା ଉଦୟ ଏବଂ ତାର ଅନ୍ୟ ପୁରୁଷ ନକ୍ସଲ ମାନେ ମିଶି ନୀଲେଶା ଓରଫ ରାଧା ନାମକ ଏକ ଆଦିବାସୀ ଝିଅକୁ ମିଛ ନିନ୍ଦା କରି ତା ସହିତ ଗଣଦୁଷ୍କର୍ମ କଲେ ଏବଂ ନୃଶଂସ ଭାବେ ହତ୍ୟା କରି ଜଙ୍ଗଲରେ ପିଙ୍ଗି ଦେଲେ । ଏଥିରୁ ସମଗ୍ର ନାରୀ ଜାତି ପାଇଁ ନକ୍ସଲ ସଂଗଠନରେ ସମ୍ମାନ କେତେ ଅଛି ତାହା ଜଣାପଡୁଛି ।
ଆମେ ବହୁତ ଚିନ୍ତିତ ଅଛୁ ଯେ, ସ୍ୱାଭିମାନ ଅଞ୍ଚଳର ଛୋଟ ଛୋଟ ଝିଅ ମାନଙ୍କୁ ବର୍ତ୍ତମାନ ମଧ୍ୟ ନକ୍ସଲ ସଂଗଠନ ଜୋର୍ ଜବରଦସ୍ତ ନିଜ ସାଙ୍ଗରେ ନେଉଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ନିର୍ଯାତନା ଦେଉଛନ୍ତି । ସେମାନେ ପାର୍ଟି ଛାଡି ନିଜ ନିଜ ଘରକୁ ଫେରିବାକୁ ଚେଷ୍ଟା କଲେବି ସେକ୍ରେଟାରୀ ଉଦୟ ନିଜର ସୌକ ପୂରଣ କରିବା ପାଇଁ ବଳ ପୂର୍ବକ ସେମାନଙ୍କୁ ଛତିଶଗଡ଼ରେ ନିଜ ପାଖରେ ରଖି ନିଜର କାମ କରାଉଛି ।
ବିଭିନ୍ନ ସମୟରେ ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛୁ ମାଓବାଦୀ କ୍ୟାମ୍ପ୍ ରୁ ସୁରକ୍ଷା କର୍ମୀ ମାନେ ଜବତ କରୁଥିବା ଜିନିଷ ପତ୍ର ଭିତରେ ଗର୍ଭ ନିରୋଧକ ବଟିକା ଏବଂ କଣ୍ଡୋମ୍ ମିଳୁଛି । ଯାହାକି ବଡ ନକ୍ସଲ ନେତା ମାନେ ବ୍ୟବହାର କରି ଆମ ଆଦିବାସୀ ଝିଅ ମାନଙ୍କ ଜୀବନ ସହିତ ଖେଳୁଛନ୍ତି ।
ଆମେ ଅବିଭକ୍ତ କୋରାପୁଟ ଆଦିବାସୀ ସୁରକ୍ଷା ମଞ୍ଚ ତରଫରୁ ମାଓବାଦୀ ସଂଗଠନକୁ ଚେତାଇ ଦେଉଛୁ ଆମ ଅଞ୍ଚଳର ସମସ୍ତ ଆଦିବାସୀ ପୁଅ ଝିଅ ମାନଙ୍କୁ ଯଥା ଶିଘ୍ର ନିଜ ନିଜ ଘରକୁ ଛାଡି ଦିଅ, ନଚେତ ପରିଣାମ ଭୟାବହ ହେବ ଏବଂ ଆବଶ୍ୟକ ପଡିଲେ ଆମେ ମଧ୍ୟ ମାଓବାଦୀଙ୍କୁ ଏହି ଅନ୍ୟାୟ କାର୍ଯ୍ୟରୁ ନିବୃତ କରିବା ପାଇଁ ତାଙ୍କ ବିରୁଦ୍ଧରେ ହତିଆର ଉଠେଇବୁ ବୋଲି ପୋଷ୍ଟରରେ ଲେଖା ଯାଇଛି l