ଭୁବନେଶ୍ୱର ଚିତ୍ରକଳା ଓ ସାହିତ୍ୟ ଯୁଗେ ଯୁଗେ ଅଙ୍ଗାଙ୍ଗୀ ଭାବେ ଜଡିତ । ଚିତ୍ର ପାଇଁ ସାହିତ୍ୟ ସରସ, ସୁନ୍ଦର ଓ ଆକର୍ଷଣୀୟ ହେବାବେଳେ ସାହିତ୍ୟ ଚିତ୍ରକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଆଗକୁ ବଢିବାରେ ସହାୟକ ହୋଇଥାଏ । ଧଉଳି ପାଦଦେଶରେ ଆୟୋଜିତ ଅନ୍ତର୍ଜାଜୀୟ କଳା ମହୋତ୍ସବରେ ଦେଖିବାକୁ ମିଳିଛି ଚିତ୍ର ପ୍ରଦର୍ଶନୀ ସହ ଚିତ୍ରକଳା ଓ କବିତାର ଯୁଗଳବନ୍ଦୀ । ଅଷ୍ଟ୍ରେଲିଆର ବିଶିଷ୍ଟ କବି ଅନୱାର ଆକାଶଙ୍କ କବିତାକୁ ନେଇ କୋଲକତାର ବିଶିଷ୍ଟି ଚିତ୍ରଶିଳ୍ପୀ ସରଫୁଦ୍ଦିନ ଅହମ୍ମଦ ସୁନ୍ଦର ଚିତ୍ର ଅଙ୍କନ କରିଥିଲେ । ଏଥିସହ ରିପବ୍ଲିକ ଅଫ୍ କୋରିଆର ବିଶିଷ୍ଟ କବି କିମ୍ ହୋୟାଂହୋଙ୍କ କବିତାବୃତି ନେଇ ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ସୃଜନଶୀଳ ଚିତ୍ର ଆଙ୍କି କବିତା ଓ କଳାର ଅର୍ନ୍ତମିଳନକୁ ପରିସ୍ଫୁଟନ କରିବା ସହ ଦର୍ଶକଙ୍କୁ ମୁଗଧ କରିଥିଲେ ।
ଏହି ଅବସରରେ ଯାଜପୁର ଜିଲ୍ଲାର ମଲିକାପୁର ଗାଁର ଚିତ୍ରଶିଳ୍ପୀ ଓ କବି ଶଶଧର ପତି ନିଜ ସହଧର୍ମିଣୀଙ୍କ
କବିତାବୃତି କରି ଶିଳ୍ପୀ ଓ କବିଙ୍କ ସମ୍ପର୍କକୁ ଆହୁରି ଦୃଢୀଭୂତ କରିଥିଲେ । ଏହି ଅବସରରେ ଆୟୋଜିତ ଶିଳ୍ପୀ ଶିବିରରେ ନିଜର ସୃଜନାତ୍ମକ ଚିତ୍ର ଜରିଆରେ ଶଶଧର ପତି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ପରେ ପରେ ଚିତ୍ରଶିଳ୍ପୀ ମୀନକେତନ ପଟ୍ଟନାୟକ ଓ ଭାସ୍କର୍ଯ୍ୟଶିଳ୍ପୀ କାନ୍ତକିଶୋର ମହାରଣାଙ୍କୁ ସୃଜନଶୀଳ କଳା କ୍ଷେତ୍ରରେ ଉଲ୍ଲେଖନୟ କାର୍ଯ୍ୟ ପାଇଁ ‘ଅନିଲା ରଥ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଶିଳ୍ପୀ ଶଶଧର ପତିଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିବା ଏହି ସମ୍ମାନରେ ଉପଢୌକନ, ଅଙ୍ଗବସ୍ତ୍ର ସହ ଉଭୟ ଶିଳ୍ପୀଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଆସନ୍ତା ବର୍ଷଠାରୁ ପ୍ରତିବର୍ଷ ଏହି ପୁରସ୍କାର ରାଶିକୁ ୨୫ ହଜାର ଟଙ୍କା ରଖାଯିବ ବୋଲି ଶଶଧର ପତି ପ୍ରକାଶ କରିଛନ୍ତି । ବାସ୍ତବରେ କଳା ଓ ଶିଳ୍ପୀଙ୍କୁ ଉତ୍ସାହିତ କରିବା ଏବଂ ଚିତ୍ରକଳା ଓ ସାହିତ୍ୟ ମଧ୍ୟରେ ସମ୍ପର୍କକୁ ନିବିଡ଼ କରି ଗଢି ତୋଳିବା ଏହି ପୁରସ୍କାରର ମୂଳ ଉଦ୍ଦେଶ୍ୟ ବୋଲି ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଂଚାନନ ସାମଲ ପ୍ରକାଶ କରିଛନ୍ତି ।