ଖୋର୍ଦ୍ଧା- ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବେଗୁନିଆ ବ୍ଲକର ହଜ ଓ କଲରଝର ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ ହଜ ଅଂଚଳର ବଂଶୀଧର ଛୁଆଳସିଙ୍ଗ (୮0), କଲରଝରର ସନେଇ ପ୍ରଧାନ (୭0)। ସେହିପରି ଆହତ ହେଲେ କଲରଝର ଗ୍ରାମର ବ୍ରଜବନ୍ଧୁ ସ।ହୁ (୭0) ।
ଗତକାଲି ରାତିରେ ୩ ଜଣ ଯାକ ପରିଶ୍ରା କରିବା ପାଇଁ ଉଠିଥିଲେ । ଏହି ସମୟରେ ଏମାନେ ହାତୀ ହାବୁଡ଼ରେ ପଡିଥିଲେ । ଆହତ ଓ ମୃତକଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଘଟଣାର ପ୍ରତିବାଦ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ହଜ ଠାରେ ରାସ୍ତାରୋକ କରିଥିଲେ। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହତିଥିଲା।
ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଖୋର୍ଦ୍ଧା ବନଖଣ୍ଡ ଅଧିନ ଟାଙ୍ଗି ଓ ବେଗୁନିଆ ବ୍ଲକରେ ଜଙ୍ଗଲୀ ହାତୀପଲ ପଶି ଲୋକଙ୍କୁ ମାରିବା ସହିତ ଦଳିଚକଟି ହଜାର ହଜାର ଏକର ଜମିରେ ଫସଲ ନଷ୍ଟ କରିଛନ୍ତି। ଏପରିକି ଘର ପାଚେରୀ ଭାଙ୍ଗି ଧାନ ଚାଉଳ ନଷ୍ଟ କରୁଛନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା କ୍ଷତିଗସ୍ତ ଚାଷୀ ଅଭିଯୋଗ କରିଛନ୍ତି।