ପୁରୀ– ଆଜି ଠାରୁ ତିନି ଦିନ ଧରି ପୁଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ୍ । ବୈଷୟିକ ଯାଂଚ୍ ଦ୍ୱାରା ଗୁପ୍ତ ସୁଡ଼ଙ୍ଗର ସନ୍ଧାନ କରିବ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଟିମ୍ । ଭିତର ଏବଂ ବାହାର ରତ୍ନଭଣ୍ଡାର କାନ୍ଥ କିମ୍ବା ଚଟାଣ ନିକଟରେ କୌଣସି ଗୁପ୍ତ କୋଠରୀ ରହିଛି କି ନାହିଁ ସେନେଇ ତନ୍ନ ତନ୍ନ କରି ଯାଂଚ୍ କରିବେ ବିଶେଷଜ୍ଞ ଦଳ । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ । ରାଡାର ସର୍ବେକ୍ଷଣ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିନେଇ ୧୭ ଜଣିଆ କମିଟି ଗଠନ କରାଯାଇଛି । ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସାମିଲ୍ ହୋଇଛନ୍ତି । ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସଂସ୍ଥାର ତିନି ଜଣ ବିଶେଷଜ୍ଞ ଶୁକ୍ରବାର ରାଡାର ସହ ପୁରୀରେ ଆସି ପହଂଚିଛନ୍ତି । ତେବେ ଶନିବାର ଠାରୁ ଆରମ୍ଭ ହେଉଥିବା ଏହି ଯାଂଚ୍ କାର୍ଯ୍ୟ ଅପରାହ୍ନ ୨ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ତାହାକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ନୀତିକାନ୍ତି ସଅଳ କରାଯାଉଛି । ଏଥିପାଇଁ ଅପରାହ୍ନ ୧ଟା ଠାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଗାମୀ ୨୪ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶାରଦୀୟ ଦୂର୍ଗାପୂଜା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତିକାନ୍ତି ରହିଛି । ତେଣୁ ଏହା ପୂର୍ବରୁ ରତ୍ନଭଣ୍ଡାର ଯାଂଚ୍ ପ୍ରକ୍ରିୟା ଶେଷ କରାଯିବ ।
Related Stories
October 6, 2024
October 6, 2024