-
– ବାଇକ୍ ପଛରେ ବସିଲେ ବି ଲଗାଇବାକୁ ପଡିବ ହେଲମେଟ୍
ଭୁବନେଶ୍ୱର – ବର୍ଷକ ମଧ୍ୟରେ ସଡକ ଦୁର୍ଘଟଣା ହାର ୨୦ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟ୍ରାଫିକ୍ ନିୟମକୁ ଆହୁରି ଅଧିକ କଡାକଡି କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରତି ୩୦ କିମି ବ୍ୟବଧାନରେ ମୋବାଇଲ ସ୍କ୍ୱାର୍ଡ ରହିବେ ଏବଂ ଯାଂଚ କରିବେ । ଏଥିପାଇଁ ଅଧିକ ସଂଖ୍ୟକ ,କର୍ମଚାରୀ ଓ ପେଟ୍ରୋଲିଂ ଗାଡି ଆବଶ୍ୟକ ହେଉଥିବାରୁ କେନ୍ଦ୍ରକୁ ଏଥିପାଇଁ ସହାୟତା ମଗାଯିବ ବୋଲି ସେ କହିଛନ୍ତି ।
ଦୁଇ ଚକିଆରେ ଉଭୟ ଗାଡି ଚାଳକ ଓ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ । ସେହିପରି ଚାରିଚକିଆ ଯାନରେ ଡ୍ରାଇଭରଙ୍କ ସମେତ ସବୁ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧିବାକୁ ବାଧ୍ୟ ହେବେ । ମାର୍ଚ୍ଚ ପହିଲାରୁ ଏହି ନିୟମ ଲାଗୁ ହେବ । ଟ୍ରାଫିକ୍ ନିୟମ କୋହଳ ସମୟସୀମା ମାର୍ଚ୍ଚରେ ଶେଷ ହେବ । ଏହି ସମୟକୁ ଆଉ ବୃଦ୍ଧି କରାଯିବ ନାହିଁ । ଦ୍ରୁତ ଓ ନିଶାସକ୍ତ ଗାଡି ଚାଳକ ମାନଙ୍କ ପାଇଁ ଥିବା ନିୟମକୁ ଆହୁରି କଠୋର କରାଯିବ ।